ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା: ଆଜ୍ଞାମାଳ ପରେ ସିଂହଦ୍ବାରରେ ଲାଗିଲା ୩ ରଥ

0

ଭୁବନେଶ୍ୱର (ଆମ ଟିଭି): ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି। ରଥ ଖଳାରୁ ତିନି ରଥକୁ ଅଣାଯାଇ ସିଂହଦ୍ବାର ସମ୍ମୁଖରେ ରଖାଯାଇଛି। କେବଳ ଅପେକ୍ଷା ଶ୍ରୀଜୀଉଙ୍କ ଆଗମନକୁ। ସବୁ ଦୃଷ୍ଟିରୁ ଏଥର ରଥଯାତ୍ରା ଅନନ୍ୟ। କାରଣ ଦୁଇ ଦିନ ରଥ ଟାଣିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ। ୫୩ବର୍ଷ ପରେ ଗୋଟିଏ ଦିନରେ ନେତ୍ରଉତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ୁଛି।

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥଖଳାରେ ଥିବା ତିନି ରଥକୁ ବିଜେ ହୋଇଥିଲା ଆଜ୍ଞାମାଳ । ଶ୍ରୀଜୀଉମାନେ ଅଣସର ଘରେ ଥିବାରୁ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଧରି ଆସିଥିଲେ ପୂଜାପଣ୍ଡା ସାମନ୍ତ । ଏହାପରେ ରଥଖଳାରୁ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଛନ୍ତି ସୁରକ୍ଷାକର୍ମୀ ଓ ଶ୍ରଦ୍ଧାଳୁ । ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ସିଂହଦ୍ୱାର ଆଗରେ ଲାଗିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ ।

ସିଂହଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ ହୋଇ ରହିଥିବାବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ପୁରୀ ବଡଦାଣ୍ଡ । ସିଂହଦ୍ୱାରରୁ ରଥଖଳା ଯାଏଁ ଝୋଟିଚିତାର ଆକର୍ଷଣ ଦେଖିବାକୁ ମିଳୁଛି । ଚଳିତବର୍ଷ ରଥଯାତ୍ରା ସହ ନେତ୍ରଉତ୍ସବ ଓ ନବଯୌବନ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ।

Leave A Reply

Your email address will not be published.