ଆଜିଠୁ ଆରମ୍ଭ ହେବ ତୋଷାଳି ହସ୍ତଶିଳ୍ପ ମେଳା

0

ଭୁବନେଶ୍ୱର (ଆମ ଟିଭି): ଫେବୃଆରୀ ୧ ତଥା ଆଜିଠୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି । ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ୟ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା ।

ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି ।

ଚଳିତ ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୂଳ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ହୁଇଲ୍ ଚେୟାର୍ ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ୟ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍ ଉପଲବ୍ଧ କରାଯାଇଛି ।

 

Leave A Reply

Your email address will not be published.