ଭୁବନେଶ୍ବର (ଆମ ଟିଭି) : ଆଜି ପୁରୀରେ ପାଳନ ହେବ ନୌସେନା ଦିବସ । ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସ ଅବସରରେ ଯବାନମାନେ ଜଳ, ସ୍ଥଳ ଓ ଆକାଶ ପଥରେ ବିଭିନ୍ନ ଦୁଃସାହସିକ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର ଦିବସକୁ ପାଳନ କରୁଛି ନୌସେନା । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ଓ ରାଷ୍ଟ୍ରପତିଙ୍କ ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି ।
ଜାଣନ୍ତୁ କେଉଁ ରୁଟ୍ରେ ଯିବେ ପୁରୀ
ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ।
– ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍ ଯାଏ ଯିବେ
– କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ
– ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲିଁ ନିକଟରେ ପାର୍କିଂ କରିବେ
– ଅରେଞ୍ଜ ପାସଧାରୀଙ୍କ ପାଇଁ ଜେଲ୍ ରୋଡ୍ ଓ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା ହୋଇଛି
– ବ୍ଲୁ ପାସଧାରୀଙ୍କ ପାଇଁ ହୋଟେଲ ନୀଳାଚଳ ଅଶୋକ ଏବଂ ଏସସିଏସ କଲେଜରେ ପାର୍କିଂ କରିବେ
ପୁଲିସର ଏହି ନିର୍ଦ୍ଦେଶାନାମାକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି। ତେଣେ ଆଜି ପାଇଁ ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ ଆଜି ପୁରୀର ବ୍ଲୁ ଫ୍ଲାଗ୍ ବିଚରେ ମୋଟ୍ ୧୫ଟି ଯୁଦ୍ଧଜାହାଜ ସମେତ ୪ ଟ୍ୟାଙ୍କର, ୪୦ଟି ଏୟାରକ୍ରାଫ୍ଟ ସେମାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଉଭୟ ସମୁଦ୍ର ଓ ଆକାଶରେ ୨୦ ପ୍ରକାର ରଣକୌଶଳ ପ୍ରଦର୍ଶିତ ହେବ। ଏହାବ୍ୟତୀତ ଏନ୍ସିସି କ୍ୟାଡେଟ୍ଙ୍କ ନିଆରା ନୃତ୍ୟ ତଥା ଡ୍ରିଲ୍, ନାଭାଲ୍ ମ୍ୟୁଜିକ୍ ବ୍ୟାଣ୍ଡ୍ ଏବଂ ମଞ୍ଚ ଉପରେ ନୌସେନାଙ୍କ ରୋମାଞ୍ଚକାରୀ ଡ୍ରିଲ୍ ଦର୍ଶକଙ୍କୁ ନିଆରା ଅନୁଭବ ଆଣିଦେବ। କେବଳ ସେତିକି ନୁହେଁ; ବୁଡ଼ାଜାହାଜ, ପାଣି ଜାହାଜ, ଟ୍ୟାଙ୍କ୍, ପାରା ଜମ୍ପର୍ସଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ରେ ରାଷ୍ଟ୍ରପତିଙ୍କ ସହିତ ୭୫୦୦ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି। ତେବେ ସାଧାରଣ ଲୋକଙ୍କ ପାଇଁ ବେଳାଭୂମିରେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।