ମୋଦୀଙ୍କ ନାମରେ ବୃକ୍ଷରୋପଣ ଠକେଇ; ୫୦୦ ସ୍ଥାନରେ ୨୦ ଗଛ ଲଗାଇ ୨ଲକ୍ଷ ୮୦ହଜାର ଚଳୁ

0

ଭୁବନେଶ୍ବର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ୧ କୋଟି ବୃକ୍ଷ ରୋପଣ ନିମନ୍ତେ ବ୍ୟାପକ ଆୟାଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଜରିଆରେ ଗୋଟିଏ ଦିନରେ ୧ କୋଟି ବୃକ୍ଷ ରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେପ୍ଟେମ୍ବର ୧୭, ୨୦୨୫ ରୋପଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଅପରାହ୍ନ ସୁଦ୍ଧା ୧ କୋଟି ବୃକ୍ଷରୋପଣ ହୋଇଛି ବୋଲି ସୂଚନା ଦିଆଯାଇଥିଲା ବେଳେ ରାତି ସୁଦ୍ଧା ଏହାର ସଂଖ୍ୟା ୧ କୋଟି ୫୦ ଲକ୍ଷ ଅତିକ୍ରମ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

ସରକାରୀ ଭାବେ ବୃକ୍ଷରୋପଣର ଯେଉଁ ସଂଖ୍ୟା ଦିଆଯାଇଥିଲା ତାହା ବାସ୍ତବତା ଠାରୁ ଅନେକ ପଛରେ ରହିଥ‌ିବା ଜଣାପଡ଼ିଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱର ବ୍ଳକର ଗୋଟିଏ ପଞ୍ଚାୟତରୁ ଏହାର ପ୍ରମାଣ ମିଳିଛି । ୫୦୦ ବୃକ୍ଷରୋପଣ ପାଇଁ ୨ ଲକ୍ଷ ୮୦ହଜାର ଟଙ୍କାର ପ୍ରକଳ୍ପ ମୂଲ୍ୟ ରଖାଯାଇଥିଲା । ହେଲେ ମାତ୍ର ୨୦ଟି ଗଛ ଲଗାଇ ଅନ୍ୟ ସମସ୍ତ ଚାରାଗୁଡ଼ିକ ଗୋଟିଏ ସ୍ଥାନରେ ଜମା କରି ରଖାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବୃକ୍ଷରୋପଣ ହୋଇଥିବା ସରକାରୀ ହାଇସ୍କୁଲ ଅଭିଭାବକ ସଂଘ ଓ ଆଲୁମିନି କମିଟି ପକ୍ଷରୁ ଗଭୀର କ୍ଷୋଭପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାର ୧କୋଟି ଗଛ ଲଗାଇବାକୁ ସରକାରୀ ନିଷ୍ପତି ନିଆଯାଇଥିଲା । ବାସ୍ତବରେ ଘୋଷଣା ମୁତାବକ ବୃକ୍ଷରୋପଣ ହୋଇନଥିବା ଜଣାପଡ଼ିଛି । ଭୁବନେଶ୍ବର ବ୍ଳକର ମେଣ୍ଢାଶାଳ ସରକାରୀ ହାଇସ୍କୁଲ ଖେଳପଡିଆରେ ୫୦୦ ଗଛ ଲଗାଇବାକୁ ନିଷ୍ପତି ନିଆଯାଇଥିଲା। ସ୍କୁଲ ଖେଳପଡିଆର ଭଲିବଲ୍‌ ଓ ବ୍ୟାଡମିଣ୍ଟନ କୋଚ୍ ଚତୁଃପାର୍ଶ୍ଵରେ ୨୦ଟି ଗଛ ଲଗାଇ ସେଠାରେ ଏକ ଫଳକ ପୋତା ଯାଇଛି। ଅବଶିଷ୍ଟ ୪୮୦ ଚାରା ଗଛ ଖେଳ ପଡ଼ିଆ ମଝିରେ ଜମା ହୋଇରଖାଯାଇଛି।

ସେଥିମଧ୍ୟରୁ ଅଧାରୁ ଅଧିକ ଏବେ ଶୁଖି ମରି ଯାଇଥିବା ବେଳେ ଭଲି ଓ ବ୍ୟାଡମିଣ୍ଟନ କୋଚରେ ଲଗାଯାଇଥିବା ଗଛରେ ପାଣି ନଦିଆଯିବାରୁ ସେଗୁଡିକ ମୃତ ଅବସ୍ଥାରେ ପହଞ୍ଚିଗଲାଣି । ପ୍ରଧାନମନ୍ତ୍ରୀଙ୍କ ନାମରେ ବୃକ୍ଷରୋପଣ ପାଇଁ ଯେଉଁ ମାନେ ଦାୟିତ୍ବ ନେଇଥିଲେ ସେମାନେ ସ୍କୁଲ କମିଟି କିମ୍ବା କର୍ତ୍ତୃପକ୍ଷକୁ ନପଚାରି ମନଇଚ୍ଛା ୨୦ଟି ଗଛ ଲଗାଇ ୨ଲକ୍ଷ ୮୦ହଜାର ଟଙ୍କା ଚଳୁ କରିଦେଇଥିବା ବିଦ୍ୟାଳୟ ଅଭିଭାବକ କମିଟି ଓ ଆଲୁମିନି କମିଟି ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ବୃକ୍ଷ ରୋପଣ ପାଇଁ ବିପୁଳ ଅର୍ଥ ଖର୍ଚ ହୋଇଥିବା ବେଳେ ବାସ୍ତବରେ ତୃଣମୂଳରେ ଗଛ ନଲଗାଇ ଏବାବଦ ଅର୍ଥ ଚଳୁ ହୋଇଥିବା ଅଭିଯୋଗ ଆସିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଯଦି ଭୁବନେଶ୍ବର ବ୍ଲକର ମେଣ୍ଡାଶାଳ ସରକାରୀ ହାଇସ୍କୁଲରେ ଏଭଳି ଠକେଇ କରାଯାଇପାରିଛି ତାହା ହେଲେ ସାରା ଓଡ଼ିଶାରେ ।

କେତେ ଗଛ ଲାଗିଥିବ ଓ କେତେ ଅର୍ଥ ଚଳୁ ହୋଇଥିବା ତାହା ଏତିକି ସ୍ପଷ୍ଟ ଅନୁମେୟ ହେଉଛି । ପ୍ରଧାନମନ୍ତ୍ରୀଙ୍କ ନାମରେ ଗଛ ଲଗାରେ ଯେଉଁ ଠକେଇ ହୋଇଛି ତାହାର ବିଧିବଦ୍ଧ ତଦନ୍ତ ହେଲେ ଏହା ସପ୍ତାଦ୍ଧିର ବଡ଼ ବୃକ୍ଷରୋପଣ ଠକେଇ ବୋଲି ଧରିବାକୁ ପଡ଼ିବ । ମେଣ୍ଢାଶାଳ ସରକାରୀ ହାଇସ୍କୁଲରେ କେଉଁ ମାନେ ବୃକ୍ଷରୋପଣ ଦାୟିତ୍ବ ନେଇ ଏତେବଡ଼ ଠକେଇ କରିଛନ୍ତି ତାହାର ତଦନ୍ତ କରାଯାଇ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.