ପାକିସ୍ତାନ ରିଲିଫ୍ ସାମଗ୍ରୀ ଫେରାଇଦେଲା ତୁର୍କି
ନୂଆଦିଲ୍ଲୀ(ଆମ ଟିଭି): ତୁର୍କିରେ ଭୂକମ୍ପ ପରେ ଏବେ ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।ଏହାରି ଭିତରେ ଏକ ବଡ଼ ଖବର ଆସିଛି । ପାକିସ୍ତାନ ଦ୍ୱାରା ତୁର୍କିକୁ ପଠାଯାଇଥିବା ରିଲିଫ ସାମଗ୍ରୀକୁ ଫେରାଇ ଦେଇଛି ତୁର୍କି । ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଙ୍କଟ ତଥା ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛି । ଆଉ ଏହାରି ଭିତରେ ଆଉ ଏକ ଲଜ୍ଜାଜନକ ପରିସ୍ଥିତିର ସାମନା କରିଛି ପାକିସ୍ତାନ । ହେଉଛି ଗତବର୍ଷ ପାକିସ୍ତାନରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ଏହି ରିଲିଫ ସାମଗ୍ରୀକୁ ତୁର୍କି ପାକ୍ କୁ ପଠାଇଥିଲା । କିନ୍ତୁ ପାକ୍ ତାକୁ ବ୍ୟବହାର ନକରି ସାଇତି ରଖିଥିଲା । ଆଉ ବର୍ତମାନ ତୁର୍କି ସାମନା କରୁଥିବା ବିପର୍ୟ୍ୟୟ ସମୟରେ ପାକ୍ ସେହି ସମାନ ସାମଗ୍ରୀ ସହ ପୁରୁଣା କଭର କାଢି ନୁଆ କଭର ପକାଇ ତୁର୍କିକୁ ପଠାଇଛି । କିନ୍ତୁ ଭିତରେ ଥିବା କଭରକୁ ବାହାର କରିବାକୁ ଭୁଲିଯାଇଥିଲା ପାକିସ୍ତାନ । ଏହାକୁ ନେଇ କଡା ସମାଲୋଚନାର ଶିକାର ହୋଇଛନ୍ତି ଶେହବାଜ୍ ସରକାର ।
ଗୋଟିଏ ପଟେ ଶେହବାଜ ସରିଫ ସରକାର ପାକିସ୍ତାନର ଭାବମୃର୍ତିକୁ ଆନ୍ତର୍ଜାତୀକ ସ୍ତରରେ ସଜାଡିବାକୁ ପ୍ରୟାସ କରୁଥିବା ବେଳେ ଏହାର ଠିକ୍ ଓଲଟା ପରିସ୍ଥିତି କୁ ସାମନା କରିଛି ପାକ୍ । ଆନ୍ତର୍ଜାତୀକ ସ୍ତରରେ ପୁଣି ଥରେ ପାକିସ୍ତାନ ଅପମାନିତ ହେବା ସହ ସରିଫ ସରକାର କଡା ସମାଲୋଚନାର ଶୀକାର ହୋଇଛନ୍ତି । ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟକୁ ଏବେ ସମସ୍ତେ ନିନ୍ଦା କରୁଛନ୍ତି ।