ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ରେ କଂଗ୍ରେସ କେମିତି କ୍ଷମତାକୁ ଆସିବ, ତାକୁ ନେଇ ଚାଲିଲାଣି ରୋଡ ମ୍ୟାପ୍ । ନିଜ ନିଜ ରାଜ୍ୟରେ କେତେ ମଜଭୁତ ହୋଇଛି ସଂଗଠନ। ଯଦି ଜିତେଇବାର ଆଶା ନାହିଁ ତେବେ ତୁରନ୍ତ ପଦଛାଡ। କଂଗ୍ରେସ ନେତାଙ୍କୁ ଏଭଳି ତାଗିଦ କରିଛନ୍ତି ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ। ଆଜି କଂଗ୍ରସେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ଅଧ୍ୟକ୍ଷତାରେ ଦଳର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧି, ଅଶୋକ ଗେହଲଟ, ଭୂପେଶ ବାଘେଲଙ୍କ ସମେତ କଂଗ୍ରେସର ବହୁ ବଡ ବଡ ନେତା ସାମିଲ ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଖାଡଗେଙ୍କ ଅଧ୍ୟତାରେ ଏହା ଥିଲା ତାଙ୍କ ପ୍ରଥମ ବୈଠକ। ଏହି ବୈଠକରେ ସେ ତଳସ୍ତରରୁ ଶୀର୍ଷସ୍ତର ନେତାଙ୍କୁ ତାଗିଦ କରିଥିଲେ ଏବଂ ସମସ୍ତଙ୍କୁ ନିଜ ନିଜ ଦାୟିତ୍ୱ କଥା ମନେ ପକାଇଥିଲେ।
ଖାଡଗେ କହିଥିଲେ, ଯଦି କଂଗ୍ରେସ ସଙ୍ଗଠନ ଦୃଢ଼ ହେବ, ଉତ୍ତରଦାୟୀ ହେବ ଓ ଲୋକଙ୍କ ଆଶା ପୂରଣ କରିବ ତେବେ ଆମେ କେବଳ ନିର୍ବାଚନରେ ବିଜୟ ହାସଲ କରିବା ତାହା ନୁହେଁ ଲୋକଙ୍କ ସେବା କରିବାରେ ମଧ୍ୟ ସମର୍ଥ ହେବା। ଏଥିସହ ସେ ଦଳୀୟ ନେତାଙ୍କୁ ତାଗିଦ କରି କହିଥିଲେ, ଦଳର ମହାସଚିବ ଓ ପ୍ରଦେଶ ପ୍ରଭାରୀମାନେ ପ୍ରଥମେ ସେମାନଙ୍କ ଦାୟିତ୍ୱ ସୁନିଶ୍ଚିତ କରାନ୍ତୁ। ଯେଉଁମାନେ ନିଜ ଦାୟିତ୍ୱ ତୁଲାଇବାରେ ଅକ୍ଷମ ଅନୁଭବ କରୁଛନ୍ତି ସେମାନେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ , ଫଳରେ ନୂଆ ଲୋକଙ୍କୁ ସୁଯୋଗ ମିଳିପାରିବ। ତଳ ସ୍ତରରୁ ଉପରସ୍ତରର ସମସ୍ତ ନେତାମାନେ ନିଜର କାର୍ୟ୍ୟ ଉପରେ ଜବାବ୍ ଦେବା ଶିଖନ୍ତୁ।