କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ପୁଣି ହେଲେ ନିରାଶା

0

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ୨୦ ବର୍ଷରୁ ଅଧିକ ପୁରୁଣା ଏକ ହତ୍ୟା ମାମଲାରେ ମାମଲା ସ୍ଥାନାନ୍ତର ପାଇଁ ଅଜୟ ମିଶ୍ରା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ୨୦ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଶ୍ରୀ ମିଶ୍ରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ପ୍ରମାଣ ଅଭାବରୁ ଉତ୍ତରପ୍ରଦେଶର ଏକ ତଳକୋର୍ଟ ମିଶ୍ରାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ । ପରେ ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟ ଯାଇଥିଲେ । ତେବେ ଏହି ମାମଲାକୁ ଲକ୍ଷ୍ନୌ ସ୍ଥାନାନ୍ତର ପାଇଁ ମିଶ୍ରା ଅପିଲ୍ କରିଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ୍ ଏବଂ ବେଲା ଏମ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣୀ ହୋଇଥିଲା ।

ମିଶ୍ରାଙ୍କ ବୟସାଧିକ କାରଣ ଦର୍ଶାଇ ମାମଲାକୁ ଆଲ୍ଲାହାବାଦରୁ ଲକ୍ଷ୍ନୌ ସ୍ଥାନାନ୍ତର ପାଇଁ ତାଙ୍କ ଓକିଲ ଅପିଲ୍ କରିଥିଲେ । ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ, ଆମେ ସେହି ପ୍ରସଙ୍ଗ ଭିତରକୁ ଯିବାକୁ ଚାହୁଁନାହୁଁ । କୋର୍ଟ ମଧ୍ୟ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୧୦ କୁ ତାରିଖ ଧାର୍ଯ୍ୟ କରିଛନ୍ତି । ତେଣୁ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁଚିତ୍ ମନେକରୁଛନ୍ତି ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ ୨୦ ବର୍ଷ ତଳେ ପ୍ରଭାତ କୁମାର ଗୁପ୍ତା ନାମକ ୨୪ ବର୍ଷିୟ ଯୁବକକୁ ହତ୍ୟା କରାଯାଇଥିଲା । ଏହି ଘଟଣା ୨୦୦୦ ମସିହାରେ ଲକ୍ଷ୍ମୀପୁର ଖେରି ଅଂଚଳରେ ଘଟିଥିଲା । ଏହି ମାମଲାରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଅଭିଯୁକ୍ତ ଥିଲେ । ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ ୨୦୦୪ ମସିହାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

Leave A Reply

Your email address will not be published.