ଖବର ପ୍ରସାରଣକୁ ନେଇ ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ଭୁବନେଶ୍ବର : ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍। ‘ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ (ଏବିୟୁ) ଜେନେରାଲ ଆସେମ୍ବ୍ଲି’-୨୦୨୨ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ଏହି ଅବସରରେ ଶ୍ରୀ ଠାକୁର କହିଲେ ଯେ ଯେଉଁ ଗତିରେ ସୂଚନାକୁ ପ୍ରସାରିତ କରାଯାଉଛି ତାହା ବହୁତ ମହତ୍ତ୍ବପୂର୍ଣ୍ଣ । କିନ୍ତୁ ସଠିକତା ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହି ବିଷୟ ପ୍ରତି ସମାଚାର ପରିବେଷଣକାରୀମାନେ ଧ୍ୟାନ ଦେବା ଉଚିତ୍। ସୋସିଆଲ୍ ମିଡିଆର ପ୍ରସାର ସହିତ ମିଛ ଖବର ବା ଫେକ୍ ନ୍ୟୁଜର ମଧ୍ୟ ପ୍ରସାର ହେଉଛି। ମିଛ ଖବରକୁ ପ୍ରତିହତ କରିବା ଏବଂ ଲୋକଙ୍କ ନିକଟରେ ସତ୍ୟ ଉପସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି।
ସେ କହିଲେ ଜନସାଧାରଣଙ୍କ ବିଶ୍ୱାସକୁ ବଜାୟ ରଖିବା ଦାୟିତ୍ବପ୍ରାପ୍ତ ଗଣମାଧ୍ୟମ ସଂଗଠନଗୁଡିକ ପାଇଁ ସର୍ବୋଚ୍ଚ ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଉଚିତ୍। ଦେଶରେ ସାର୍ବଜନୀନ ଗଣମାଧ୍ୟମ ସଂସ୍ଥା ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ସର୍ବଦା ସତ୍ୟ ଖବର ପକ୍ଷରେ ରହିଛି। ସଙ୍କଟ ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଗଣମାଧ୍ୟମ ସିଧାସଳଖ ଜୀବନ ରକ୍ଷା କରିବା ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରମୁଖ ଭୂମିକା ନିର୍ବାହ କରିଥାଏ।
କୋଭିଡ୍-୧୯ ମହାମାରୀ ସମୟରେ ଘରେ ଅଟକି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ଶ୍ରୀ ଅନୁରାଗ ଠାକୁର ପ୍ରଶଂସା କରିଥିଲେ। ମିଡିଆ ସେହି ସମୟରେ ଲୋକଙ୍କୁ ବାହ୍ୟ ଜଗତ ସହିତ ଯୋଡ଼ି ରଖିଥିଲା। ବିଶେଷ ଭାବରେ ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ଏବଂ ସାଧାରଣତଃ ଭାରତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପ୍ରସାର ଭାରତୀର ଶୀର୍ଷ ପ୍ରଶିକ୍ଷଣ ସଂସ୍ଥାନ ଏନ୍ଏବିଏମ୍ ପ୍ରସାରଣ ଉଦ୍ୟୋଗର ବିଭିନ୍ନ ଦିଗକୁ ସାମିଲ୍ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନରେ ଏବିୟୁ ମିଡିଆ ଏକାଡେମୀ ସହିତ ମିଶି କରି କାମ କରୁଛି। ଭାରତ ପ୍ରାୟ ୪୦ ଦେଶ ସହିତ ସାମଗ୍ରୀ ଆଦାନ-ପ୍ରଦାନ, ସହ-ଉତ୍ପାଦନ, କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ଦ୍ବିପାକ୍ଷିକ ରାଜିନାମା କରିଛି। ଏହି ଦେଶ ମାନଙ୍କ ମଧ୍ୟରେ ଅନେକ ସହଯୋଗୀ ଏବିୟୁ ଦେଶ – ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ଫିଜି, ମାଲଦ୍ୱୀପ, ନେପାଳ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ସାମିଲ୍ ରହିଛନ୍ତି। କାର୍ଯ୍ୟକ୍ରମର ବିନିମୟ ପାଇଁ ମାର୍ଚ୍ଚ ୨୦୨୨ ରେ ପ୍ରସାରଣ କ୍ଷେତ୍ରରେ ଆମେ ଅଷ୍ଟ୍ରେଲିଆ ସହ ମଧ୍ୟ ଭାଗିଦାରୀ କରିଛୁ। ଦୁଇ ଦେଶର ପ୍ରସାରଣକାରୀମାନେ ଅନେକ ବିଧିରେ ବ୍ୟାପକ କାର୍ଯ୍ୟକ୍ରମର ସହ ନିର୍ମାଣ ଏବଂ ସଂଯୁକ୍ତ ପ୍ରସାରଣରେ ଥିବା ଅବସରର ଅନୁସନ୍ଧାନ କରୁଛନ୍ତି ବୋଲି ସେ କହିଥିଲେ।