ନୂଆଦିଲ୍ଲୀ (ଆମ ଟିଭି): ବିହାର ବୈଶାଳିରୁ ବଡ଼ ଖବର ସାମ୍ନାକୁ ଆସିଛି। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରଶ। ମନ୍ତ୍ରୀ ଫେରୁଥିବା ବେଳେ ତାଙ୍କ ଟିମ୍ର ଗାଡ଼ି ଆଗକୁ ହଠାତ୍ ଏକ ସାଇକେଲ ଆରୋହୀ ଚାଲିଆସିଥିଲେ। ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଟିମ୍ର ଏକ ଗାଡ଼ି ଏକ ଖାଲରେ ପଡ଼ିଯାଇଥିଲା। ସାଇକେଲ୍ ଆରୋହୀ ନିଶାରେ ଥିବା କୁହାଯାଉଛି।
ସୂଚନା ଅନୁସାରେ, ମନ୍ତ୍ରୀ ପଶୁପତି ପାରଶ ଶନିବାର ମହନାରରୁ ଜଣେ ସମର୍ଥକଙ୍କ ଘରୁ ଶ୍ରାଦ୍ଧ କାର୍ୟ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଫେରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ମନ୍ତ୍ରୀଙ୍କ ସହିତ ପାଖପାଖି ୨୫ ଗାଡ଼ିର ଏକ ଟିମ୍ ଫେରୁଥିଲା। ବର୍ଷା ଯୋଗୁ ସଡ଼କ ଓଦା ହୋଇଯାଇଥିଲା। କିଛିବାଟ ଯିବା ପରେ ଅଠାତ୍ ଏକ ମଦ୍ୟପ ସାଇକେଲ ଆହୋରୀ ମନ୍ତ୍ରୀଙ୍କ କାର୍କେଡ୍ ସାମ୍ନାକୁ ଚାଲିଆସିଥିଲା। ସାଇକେଲ ଆହୋରୀଙ୍କୁ ରକ୍ଷା କରିବାକୁ ଯାଇ ଜିଲ୍ଲା ଅଧ୍ୟକ୍ଷ ମନୋଜ କୁମାରଙ୍କ କାର୍ ଖାଲ ଭିତରେ ପଡ଼ିଯାଇଥିଲା। ଗାଡ଼ି ଖାଲ ଭିତେର ଫସିଯିବା ନେଇ ସମସ୍ତେ ଡରିଯାଇଥିଲେ। ଏହାପରେ ପୂରା ଟିମ୍ ଘଣ୍ଟାଏ ପର୍ୟ୍ୟନ୍ତ ଅନ୍ଧାରରେ ଫଶି ଗାଡ଼ିକୁ ଧକ୍କା ଦେଇ ବାହାର କରିଥିଲା। ଏହି ସମୟରେ ମଦ୍ୟପ ଯୁବକ ଫେରାର ହୋଇଯାଇଥିଲେ।