ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନିଙ୍କ ଝିଅ
ଜୟପୁର : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଜୁବିନ ଇରାନୀଙ୍କ ଝିଅ ଶନେଲ ଇରାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ରାଜସ୍ଥାନର ନାଗୌରଠାରେ ଅବସ୍ଥିତ ଐତିହାସିକ ଖିମ୍ବସର୍ ଦୁର୍ଗରେ ସନେଲ୍ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି । ଅର୍ଜୁନ ଓ ଶନେଲଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ବିବାହ ସମାରୋହ ପାଇଁ ଖିମ୍ବସର ଦୁର୍ଗକୁ ଅତ୍ୟନ୍ତ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ଆଜି ବିବାହ ଉତ୍ସବରେ ସ୍ମୃତି, ଭଲ୍ଲା ପରିବାର ସଦସ୍ୟଙ୍କ ସହ ନାଚିଥିଲେ ଏବଂ ଶଙ୍ଖ ବଜାଇଥିଲେ।
ସବୁଠାରୁ ବଡ଼ କଥା ହେଲା ଏହି ବିବାହରେ କୌଣସି ଭିଆଇପି ଯୋଗ ଦେଇନଥିଲେ। ସ୍ମୃତି ଓ ଭଲ୍ଲା ପରିବାର ସଦସ୍ୟଙ୍କୁ ମିଶାଇ ମାତ୍ର ୭୦ଜଣ ଅତିଥି ବିବାହରେ ଯୋଗ ଦେଇଥିଲେ। ଖିମ୍ବସର ଦୁର୍ଗରେ ଶନେଲ ଏବଂ ଅର୍ଜୁନ ଭଲ୍ଲାଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ କରାଯାଇଥିଲା। ସମସ୍ତଙ୍କୁ ଦୁର୍ଗ ଭିତରେ ଫୋନ ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ଅତିଥିମାନେ ଫୋନ ବିନା ବିବାହ ମଣ୍ଡପକୁ ପ୍ରବେଶ କରିଥିଲେ। ବିବାହ ସମୟରେ ମଧ୍ୟ ଉଚ୍ଚ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ କୁହାଯାଉଥିଲା ଯେ ଇରାନୀ ଓ ଭଲ୍ଲା ପରିବାରର ପ୍ରାୟ ୨୪୭ଜଣ ଲୋକ ବିବାହରେ ଯୋଗ ଦେବେ। ହେଲେ ବିବାହ ଦିନ କମ ଅତିଥି ବିବାହରେ ସାମିଲ ହୋଇଥିଲେ।