ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

0

ଲୋକପ୍ରିୟ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଆଜି ଭୁବନେଶ୍ୱରରେ ପହଞ୍ଚି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ହର୍ବାଲ ହୋଲି ୨୦୨୬’ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ସ୍ୱପ୍ନା ପତି ଫାଉଣ୍ଡେସନର ସଦସ୍ୟ, ଆୟୋଜକ ଏବଂ ପ୍ରଶଂସକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ନିଜର ‘ହର୍ବାଲ ହୋଲି’ ଅଭିଯାନର ୧୫ତମ ସଂସ୍କରଣ ପାଳନ କରୁଛି । ‘ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ରଙ୍ଗ ମୁକ୍ତ ଏବଂ ପରିବେଶ ଅନୁକୂଳ ହୋଲି ପାଇଁ ଜନସାଧାରଣଙ୍କୁ ସଚେତନ କରିବା । “ନିଜ ଚର୍ମକୁ କେମିକାଲ ରଙ୍ଗରୁ ରକ୍ଷା କରନ୍ତୁ” ଏହି ବାର୍ତ୍ତା ନେଇ ୨୦୧୧ ମସିହାରୁ ଏହି ଅଭିଯାନ ଜାରି ରହିଛି ।

କାର୍ଯ୍ୟକ୍ରମ ମାର୍ଚ୍ଚ ୨, ୨୦୨୬ ସନ୍ଧ୍ୟା ୪:୦୦ ରୁ ରାତି ୧୦:୦୦ ପର୍ୟଂତ ରାଜଧାନୀର ତରକା ହୋଟେଲ ସ୍ୟାଣ୍ଡିଜ୍ ଟାୱାରରେ ଆୟୋଜିତ ହୋଇଛି । ଏହି କାର୍ଯକ୍ରମରେ ସମସ୍ତ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଛି ଯେପରିକି ହଳଦୀ, ଚନ୍ଦନ, ମୁଲତାନି ମାଟି, ନିମ ଏବଂ ବିଟରୁ ପ୍ରସ୍ତୁତ ହର୍ବାଲ ରଙ୍ଗରେ ହୋଲି ଖେଳାଯାଇଛି ।

ଏହି ଉତ୍ସବରେ ଉର୍ଫି ଜାଭେଦଙ୍କ ସମେତ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଶେହଜାଦ ଅଲି, ଶବାବ ସାବ୍ରି ଏବଂ ଅଭିନେତା ଏଜାଜ ଖାନ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଏଥିସହ ଓଲିଉଡର ଲୋକପ୍ରିୟ କଳାକାର ସୁଭାଶିଷ ଶର୍ମା (ମଣ୍ଟୁ), ସୂର୍ଯ୍ୟମୟୀ ମହାପାତ୍ର, ପ୍ରିୟଙ୍କା ଏବଂ ଋଷି ପଟ୍ଟନାୟକ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଓ ଡିଜେ ଆୟୁଷଙ୍କ ସଙ୍ଗୀତ ତାଳେ ତାଳେ ସମସ୍ତେ ହୋଲିର ମଜା ନେଇଥିଲେ ।

ଚଳିତ ବର୍ଷ ପ୍ରାୟ ୨,୦୦୦ ରୁ ଅଧିକ ଅତିଥି ଓ ବିଶିଷ୍ଟ ଶିଳ୍ପପତି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆୟୋଜକଙ୍କ ମତରେ, ହର୍ବାଲ ହୋଲି କେବଳ ଏକ ପର୍ବ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ସୁରକ୍ଷିତ ପରିବେଶ ପାଇଁ ଏକ ସାମାଜିକ ଆନ୍ଦୋଳନ ।

Leave A Reply

Your email address will not be published.