ବେଦାନ୍ତ କରିବ ୧ ଲକ୍ଷ କୋଟି ନିବେଶ

0

ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍‌ରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝରରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି। ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଶ୍ରୀ ଅଗ୍ରୱାଲ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣାଯାଇଛି ଯେ, ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଦୁଇଟି ନୂଆ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରାଯିବ। ଝାରସୁଗୁଡ଼ାରେ ଥିବା ଏହାର ଆଲୁମିନିୟମ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ ସେଠାରେ ମଧ୍ୟ ଆଉ ଏକ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରାଯିବ। ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ଅତ୍ୟନ୍ତ ଉନ୍ନତମାନର ଆଲୁମିନିୟମ ଆଲୟ ଉତ୍ପାଦନ ହେବ। ଏହି ଆଲୁମିନିୟମ ଆଲୟ ଏରୋସ୍ପେଶ୍, ଇଭି ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ। ଏହାଦ୍ୱାରା ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆସିବ ଏବଂ ଏମ୍‌ଏସ୍‌ଏମ୍‌ଇ ଶିଳ୍ପରେ ବିପୁଳ ଅଭିବୃଦ୍ଧି ହୋଇପାରିବ।

 

Leave A Reply

Your email address will not be published.