ନୂଆଦିଲ୍ଲୀ (ଆମ ଟିଭି): ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଗତକାଲି ରାତିରେ ସ୍ୱାସ୍ଥ୍ଯଗତ କାରଣ ଦର୍ଶାଇ ନିଜ ପଦବୀରୁ ଧନଖଡ଼ ଇସ୍ତଫା ଦେଇଥିଲେ । ସମ୍ବିଧାନର ଧାରା ୬୭ (A) ଅନୁଯାୟୀ ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।
ଜଗଦୀପ ଧନଖଡ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘X’ରେ ପୋଷ୍ଟ । ମୋଦି ଲେଖିଛନ୍ତି, ଜଗଦୀପ ଧନଖଡ଼ ଉପ ରାଷ୍ଟ୍ରପତି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଦେଶର ସେବା କରିଛନ୍ତି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି ।
ସଂସଦର ମୌସୁମୀ ଅଧିବେଶନର ଗତକାଲି ପ୍ରଥମ ଦିନରେ ଗୃହରେ ବିଭିନ୍ନ ଦଳର ନେତାଙ୍କୁ ଭେଟିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବହିଷ୍କାର ପାଇଁ ମୋସନ ଆଣିବାକୁ ୫୦ ଜଣ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଥିବା ସ୍ମାରକପତ୍ର ଧନଖଡ଼ଙ୍କୁ ପ୍ରଦାନ କରାଯାଇଥିଲା । ଏହା ଉପରେ ସେ ରାଜ୍ୟସଭାରେ ପ୍ରତିକ୍ରିୟା ରଖିଥିଲେ ।
ତେବେ ଏହାର କିଛି ଘଣ୍ଟା ପରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଧନଖଡ଼ । ଯଦିଓ ସ୍ବାସ୍ଥ୍ୟଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ତେବେ ତାଙ୍କର ହଠାତ ଇସ୍ତଫାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।
୨୦୨୭ ମସିହା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଧନଖଡ଼ଙ୍କ କାର୍ଯ୍ୟକାଳ ଥିଲା । ଏହାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ୨୦୨୨ ଅଗଷ୍ଟ ୧୧ରେ ଧନଖଡ଼ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେବାରେ ସେ ତୃତୀୟ ଉପରାଷ୍ଟ୍ରପତି । ପୂର୍ବରୁ ଭିଭି ଗିରି ଓ ଆର ଭେଙ୍କେଟରମଣ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏବେ ଧନଖଡ଼ଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ରେସ ଆରମ୍ଭ ହୋଇଛି ।