ଦିଲ୍ଲୀରେ ବିଜୟ ହେଲା ଆପ୍

0

ନୂଆଦିଲ୍ଲୀ: ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି ସ୍ଥାନରେ ବାଜିମାତ କରିଛନ୍ତି।

ଆପ୍‌ ଓ ବିଜେପି ମଧ୍ୟରେ ଏମସିଡି ନିର୍ବାଚନ ସମ୍ମାନର ଲଢ଼େଇ ଥିଲା। ଏମସିଡିକୁ ୪ର୍ଥ ଥର ପାଇଁ ଦଖଲ କରିବା ଉଦ୍ଦେଶ୍ୟରେ ବିଜେପି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ବି ବ୍ୟବହାର କରିଥିଲା। ଶତାଧିକ ସାଂସଦ ଓ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରିଥିଲେ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିକୁ ମଧ୍ୟ ଦଳ ପ୍ରସଙ୍ଗ କରି ଆପ୍‌ ବିରୋଧରେ ପ୍ରଚାର କରିଥିଲା। ହେଲେ ଦିଲ୍ଲୀବାସୀ ବିଜେପିକୁ ଆଉ ଥରେ ଶାସନ କରିବାକୁ କୌଣସି ସୁଯୋଗ ଦେଇ ନାହାନ୍ତି। ଏମସିଡି ନିର୍ବାଚନରେ ବିଜେପି ପରାସ୍ତ ହୋଇଛି।

ମ୍ୟାଜିକ ନମ୍ବର ୧୨୬ ଠାରୁ ବିଜେପି ପଛରେ ରହିଥିଲେ ମଧ୍ୟ ମେୟର ପଦ ହାତେଇବ ବୋଲି ଦମ୍ଭୋକ୍ତି କରିବା ନୂଆ ଟ୍ୱିଷ୍ଟ ଆଣିଛି। କାରଣ ଆଜି ନିର୍ବାଚିତ ହୋଇଥିବା କର୍ପୋରେଟରମାନେ ମେୟର ନିର୍ବାଚନରେ ଭୋଟ ଦେବେ। ଏହି ସମୟରେ ସେମାନେ ଦଳ ବଦଳ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେପି ମେୟର ପଦ ହାତେଇବା ଲକ୍ଷ୍ୟରେ ରହିଥିବା ଚର୍ଚ୍ଚା ହେଉଛି।

୨୦୧୭ ଏମସିଡି ନିର୍ବାଚନରେ ବିଜେପି ୨୭୨ଟି ଆସନରୁ ୧୮୧ଟିରେ ଜିତିଥିଲା। ଆପ୍‌ ୪୮ଟି ଓ କଂଗ୍ରେସ ମାତ୍ର ୩୦ଟିରେ ଜିତିଥିଲା। ୨୦୧୫ରେ ଆପ୍‌ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରେକର୍ଡ ୭୦ଟି ଆସନରୁ ୬୭ରେ ଜିତିଥିଲା। ତଥାପି ବିଜେପି ୨୦୧୭ରେ ଏମସିଡି ନିର୍ବାଚନ ଜିତି ଆପ୍‌କୁ ଶକ୍ତ ଝଟକା ଦେଇଥିଲା। ଏମସିଡି ନିର୍ବାଚନରେ ବିଜେପି କ୍ରମାଗତ ଭାବେ ଜିତି ଆସୁଥିଲେ ବି ଏଥର ସ୍ଥିତି ବଦଳିଛି। ଆପ୍‌ ୧୩୪ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

Leave A Reply

Your email address will not be published.