ନବଙ୍କ ହତ୍ୟାକୁ ନେଇ ଏମିତି କହିଲେ ବିଜୟ ମହାପାତ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର। ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଛି। ଡିଜି କେତେ ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ତଦନ୍ତରେ ବିଳମ୍ବ ହୋଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୫ ଦିନରୁ ଊର୍ଦ୍ଧ୍ବ ହେଲାଣି। ତା ପରେ ହତ୍ୟାକାଣ୍ଡର କାରଣ ଲୋକେ ଜାଣି ପାରିଲେନି। ପ୍ରତି ହତ୍ୟାକାଣ୍ଡରେ ମୋଟିଭକୁ ତଦନ୍ତ କରାଯାଏ କିନ୍ତୁ ଏହି କେସର ତଦନ୍ତରେ ତାହା ହେଉନାହିଁ।
ବିଜୟ ମହାପାତ୍ର ଖାକିର ରଙ୍ଗ କଳା ହୋଇଯିବ ବୋଲି କହିଛନ୍ତି। ପୁଲିସ ପୋଷାକରେ ଯେଉଁ କଳଙ୍କ ଲାଗିଛି ତାକୁ ଯଦି ନ ଛଡା ଯାଏ, ତେବେ ମାଟିଆ ପୋଷାକ ସବୁଦିନ ପାଇଁ କଳା ହୋଇ ରହିଯିବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ନେଇ ସେଣ୍ଟ୍ରିକ ତଦନ୍ତ କରୁଛି। ଗୋପାଳ ଛଡା ଆଉ କାହାକୁ ପଚରାଉଚରା କରାଯାଇ ନାହିଁ। ତେଣୁ ସତ୍ୟ ବାହାରକୁ ଆସିବା ଅସମ୍ଭବ। ତଦନ୍ତର ସତ୍ୟତା ଜାଣିବାକୁ ହେଲେ ଗୋପାଳଠୁ ବାହାରକୁ ଯିବାକୁ ହେବ। ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି, କ୍ରାଇମବ୍ରାଞ୍ଚ କିଛି କରୁନି। ରାଜ୍ୟ ପୁଲିସର ପାରିବା ପଣିଆ ଏଥିରୁ ଜାଣି ହେଇ ଯାଉଛି। କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ। ଗୋପାଳ ଆଗରୁ ଅଧିକ ଚାନ୍ସ ପାଇଥିଲା ସେବେ ନ ମାରି ଏବେ କାହିଁକି ତାର ତଦନ୍ତ କରୁନି କ୍ରାଇମବ୍ରାଞ୍ଚ। ସେଦିନ କାହିଁକି ମାରିଲା ରାଗ କଣ ଥିଲା ସେ ଦିଗରେ ତଦନ୍ତ ଆଗକୁ ବଢୁନି।