ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିଜୟ ପଟ୍ଟନାୟକଙ୍କ ପ୍ରଶ୍ନ

0

ଭୁବନେଶ୍ୱର :କଂଗ୍ରେସରେ ସାମିଲ ହେବାପରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରଥମଥର ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାରେ ଓଡ଼ିଆ ନିବେଶକଙ୍କୁ କାହିଁକି ହତାଦର କରାଯାଉଛି ଓ ସରକାରୀ ଖର୍ଚ୍ଚରେ ବ୍ୟୟବହୁଳ ବିଦେଶ ଗସ୍ତ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି । ୬ ବର୍ଷରେ ମାତ୍ର ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ୧୩୬୮କୋଟି ଟଙ୍କାର ନିବେଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରୋମ, ଦୁବାଇ ଓ ଏବେ ଜାପାନ ଗଲେ ଓଡ଼ିଶା ଓ ଓଡ଼ିଆଙ୍କ କ’ଣ ସ୍ୱାର୍ଥସାଧନ ହେଉଛି ବୋଲି କହି ବିଜୟ କଟାକ୍ଷ କରିଛନ୍ତି ।

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ସମାଲୋଚନା କରିବା ସହ କିଛି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ପୁଞ୍ଜିନିବେଶ ଆଣିବା ପାଇଁ ଜାପାନ ଯାଇଛନ୍ତି । ଉକ୍ତ ଟିମ୍ ନିରାପଦରେ ଫେରି ଆସୁ ବୋଲି ସେ କାମନା କରିବା ସହ ସେ ଏହି ପ୍ରଶ୍ନଗୁଡ଼ିକ ପଚାରିଛନ୍ତି। ସେ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ବଳରେ ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ମୋଟ ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ମାତ୍ର ୧୩୬୮କୋଟି ଟଙ୍କାର ନିବେଶ କରିଛନ୍ତି । କିନ୍ତୁ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ଓଡ଼ିଶାକୁ ମୋଟ୍ ୧୬ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି ବୋଲି ସରକାର କହୁଛନ୍ତି । ଯଦି ଏତେ ସ୍ୱଳ୍ପ ପରିମାଣର ବିଦେଶୀ ନିବେଶ ପାଇବାର ଅଛି ତା’ହେଲେ ବ୍ୟୟବହୁଳ ବିଦେଶ ଗସ୍ତର ଲାଭ ଓଡ଼ିଶାବାସୀଙ୍କୁ କିଭଳି ମିଳୁଛି? ସରକାରଙ୍କୁ ପ୍ରଶ୍ନ କରି ଏହାର ଉତ୍ତର ରଖିବାକୁ ବିଜୟ ଦାବି କରିଛନ୍ତି ।

Leave A Reply

Your email address will not be published.