ବିକ୍ରମକୁ ମିଳିଲା ଅର୍ଥ ବିଭାଗ ଦାୟିତ୍ୱ

0

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । ଏହି କ୍ରମରେ ପୂର୍ବ ସୂଚୀ ମୁତାବକ ସୋମବାର ଲୋକସେବା ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ୩ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାବେଳେ ସେମାନଙ୍କୁ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି । ତଦନୁଯାୟୀ ବିକ୍ରମକେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଛି । ନିରଞ୍ଜନ ପୂଜାରୀଙ୍କ ଠାରୁ ଅର୍ଥ ବିଭାଗ ଆଣି ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦାନ କରାଯାଇଛି । ଏବେ ନିରଞ୍ଜନଙ୍କ ହାତରେ କେବଳ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟବିଭାଗ ରହିଛି ।

ଆଜି ପ୍ରଥମେ କ୍ୟାବିନେଟ ମନ୍ତ୍ରୀଭାବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶପଥ ନେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଥିଲେ ।ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ହେଉଛନ୍ତି ବିକ୍ରମ ଆରୁଖ। ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ।

ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଅଚାନକ ବିକ୍ରମ କେଶରୀ ଆରୁଫ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ବି ଇସ୍ତଫା ଦେଇଥିଲେ। ଏହାପରେ ନୂଆ ମନ୍ତ୍ରୀ କିଏ ହେବ ତାକୁ ନେଇ ରାଜନୈତିକ ବିଶେଷଜ୍ଞ ଅଙ୍କ କଷା ଆରମ୍ଭ କରି ଦେଇଥିଲେ। ଫଳରେ ସମୀରଙ୍କ ହାତରେ ଥିବା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦାୟିତ୍ୱ ପ୍ରମିଳା ମଲ୍ଲିକଙ୍କ ହାତକୁ ଚାଲି ଯାଇଥିଲା। ପୂର୍ବରୁ ନବ ଦାସଙ୍କ ମୃତ୍ୟୁ ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବିତ ହୋଇଥିଲା। ଗତ ରାତିରେ ରାଜ୍ୟପାଳ ଓଡ଼ିଶା ଫେରିଥିବା ବେଳେ ଆଜି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି।

Leave A Reply

Your email address will not be published.