ବାଂଲାଦେଶରେ ହିଂସା ଜାରି । ଜାଳିଦେଲେ ଶେଖ ହାସିନାଙ୍କ ଘର
ବାଂଲାଦେଶରେ କିଛି ଦିନର ଶାନ୍ତି ପରେ ପୁଣି ହିଂସା କାଣ୍ଡ ଘଟିଛି । ଦେଶରୁ ବିତାଡ଼ିତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଘର ଜାଳି ଦେଇଛନ୍ତି ଉପଦ୍ରବକାରୀ । ଏହାସହ ସେମାନେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ହସିନା ଆୱାମୀ ଲିଗର କର୍ମକର୍ତ୍ତା ଓ ହିନ୍ଦୁଙ୍କୁ ଟାର୍ଗେଟ କରୁଛନ୍ତି ଆକ୍ରମଣକାରୀ। ସବୁଠୁ ଚିନ୍ତାର କଥା ହେଲା ପୋଲିସ୍ ଉପସ୍ଥିତିରେ ଏସବୁ ଘଟୁଥିବା ଅଭିଯୋଗ ହୋଇଛି । ପ୍ରାୟ ୧୦୦ ପୁଲିସ କର୍ମୀ ଉପସ୍ଥିତ ଥିଲେ ମଧ୍ୟ ଦଙ୍ଗାକାରୀଙ୍କୁ ଅଟକାଇବାକୁ କୌଣସି ଚେଷ୍ଟା କରିନଥିଲେ। ବିକ୍ଷୋଭକାରୀମାନେ ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଶେଖ୍ ହସିନାଙ୍କୁ ଫାଶୀ ଦେବାକୁ ଦାବି କରିବା ସହ ବାଂଲାଦେଶରେ କୌଣସି ନିର୍ବାଚନରେ ଆୱାମୀ ଲିଗ୍ କୁ ଭାଗ ନେବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଥିଲେ।
ଜବାବ ରଖିଲେ ଶେଖ ହାସିନା, କହିଲେ ଘର ଭାଙ୍ଗିଦେଇପାର, ହେଲେ ଇତିହାସ ନୁହେଁ
ନିଜ ପୈତୃକ ଘରକୁ ଉପଦ୍ରବକାରୀମାନେ ଭାଙ୍ଗିଦେବା ପରେ ଏନେଇ ଜବାବ ରଖିଛନ୍ତି ଶେଖ ହାସିନା। ସେ କହିଛନ୍ତି ‘ଘର ଭାଙ୍ଗି ଦେଇପାର, ବଙ୍ଗବନ୍ଧୁ ଶେଖ ମୁଜିବୁରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇପାର, ହେଲେ ଇତିହାସକୁ ଲିଭାଇ ପାରିବ ନାହିଁ । ଶେଖ ମୁଜିବୁରଙ୍କ ଅବଦାନକୁ କେବେ ଲିଭାଇ ପାରିବ ନାହିଁ’। ଏହାସହ ବାଂଲାଦେଶବାସୀ ସତକୁ ଜାଣିବା ସହ ନ୍ୟାୟ ପାଇଁ ଲଢ଼େଇ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବାଂଲାଦେଶରେ ଶେଖ ହାସିନାଙ୍କ ସରକାରର ପତନ ପଛରେ ଆମେରିକାର ଜୋ ବାଇଡେନ ସରକାରର ହାତ ଥିଲା ବୋଲି ଅଭିଯୋଗ ହୋଇଆସିଛି। ହେଲେ ଏବେ ଆମେରିକାରେ ଟ୍ରମ୍ପ ସରକାର। ତେଣୁ ବାଂଲାଦେଶରେ ପୁଣି କିଛି ବଡ଼ ଓଲଟପାଲଟ ଯେ ନହେବ, ସେନେଇ କିଛି ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି ।