ମେଣ୍ଟକୁ ନେଇ ମୁହଁ ଖୋଲିଲେ ଭି କେ ପାଣ୍ଡିଆନ
ନିର୍ବାଚନୀ ବିଗୁଲ ବାଜିବା ପରେ ବି ରାଜ୍ୟରେ ବିଜେଡି-ବିଜେପି ସମ୍ଭାବ୍ୟ ମେଂଟକୁ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଆଜି ନୂଆମୋଡ଼ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଦେଶର ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହାଁନ୍ତି । ଯାହାକି ରାଜନୀତିରୁ ଊର୍ଦ୍ଧ୍ୱରେ ଓ ଏହା ହିଁ ରାଷ୍ଟ୍ରନୀତି । ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । ଏହାସହିତ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ସାମାନ୍ୟ ସ୍ପଷ୍ଟତା ମଧ୍ୟ ସେ ଆଣିଛନ୍ତି।
ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଭିକେ ପାଣ୍ଡିଆନ ମେଂଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି। ମାତ୍ର ମେଂଟକୁ ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ଦେଇଛନ୍ତି । ମେଂଟକୁ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବା ବୋଲି କହିଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ବିଜେଡିକୁ ନିର୍ବାଚନୀ ଗଣିତ ପାଇଁ ବିଜେପିର ଆବଶ୍ୟକତା ନାହିଁ । ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ବିଜେପିକୁ ବିଜେଡିର ସହଯୋଗ ଦରକାର ବୋଲି ସେ ଭାବୁନାହାନ୍ତି। ନବୀନ ପଟ୍ଟନାୟକଙ୍କୁ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଂଟର ଆବଶ୍ୟକତା ନାହିଁ।