ନୂଆଦିଲ୍ଲୀ : ୧୩୭ ବର୍ଷର ପୁରୁଣା ଦଳ କଂଗ୍ରେସର ନୂଆ ସଭାପତି ପାଇଁ ସୋମବାର ଦିନ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି। ଭୋଟ ପ୍ରତିଶତ ୯୬ ପ୍ରତିଶତ ରହିଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ମୁକ୍ତ ଭାବରେ ହୋଇଥିବା କଂଗ୍ରେସର ଏହି ନିର୍ବାଚନରୁ ଅନ୍ୟ ଦଳମାନେ ଶିକ୍ଷାଲାଭ କରିପାରିବେ ବୋଲି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀସ୍ଥିତି ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ପି ଚିଦମ୍ବରମଙ୍କ ସମେତ ୮୭ ଜଣ ଭୋଟ ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ନିର୍ବାଚନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହୋଇଥିଲା। ସଭାପତି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ଆସନ୍ତା ୧୯ ତାରିଖରେ ଭୋଟ ଗଣତି ହେବ। ଏହାପରେ ଖଡ଼୍ଗେ କିମ୍ବା ଥରୁର୍ ବିଜୟୀ ହେବେ ତାହା ସ୍ପଷ୍ଟ ହେବ। ଖଡ଼୍ଗେଙ୍କୁ ଗାନ୍ଧି ପରିବାରର ଅଣଅଫିସିଆଲ ପ୍ରତିନିଧି ବୋଲି କୁହାଯାଉଛି। ତାଙ୍କୁ ଅଧିକାଂଶ ବରିଷ୍ଠ ନେତାଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷରେ ଥରୁର୍ ନିଜକୁ ଦଳରେ ପରିବର୍ତ୍ତନ ଆଣିବା ଲାଗି ନିର୍ବାଚନ ଲଢ଼ୁଛନ୍ତି ବୋଲି ଦାବି କରିଆସୁଛନ୍ତି।