ଫେବ୍ରୁଆରୀ ୫ରେ ଭୋଟ୍, ୮ ଆସିବ ରେଜଲ୍ଟ
ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।
ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଏଥର ୧.୫୫ କୋଟି ଭୋଟର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ । ଯାହା ଭିତରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଥର ଭୋଟର । ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।
ଗତଥର ୨୦୨୦ ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରୀ ୮ ତାରିଖରେ ହେଇଥିଲା । ଆଉ ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ଯାହାର ରେଜଲ୍ଟ ଫେବ୍ରୁଆରୀ ୧୧ ତାରିଖରେ ଆସିଥିଲା । ଏହି ନିର୍ବାଚନରେ ଆପ୍ ଜିତାପଟ ହାସଲ କରିବା ସହିତ ଫେବ୍ରୁଆରୀ ୧୬ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ ।
ଗତ ଦୁଇ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ଆସନରୁ ୬୦ରୁ ଅଧିକ ସିଟ୍ ଜିତିଥିଲା । ୨୦୧୫ରେ ଆପ୍ ୬୭ ଆସନ ହାତେଇଥିବାବେଳେ, ୨୦୨୦ରେ ୬୨ ଆସନ ଜିତିଥିଲା । ସେହିଥର ବିଜେପି ୮ଟି ସିଟ୍ ଜିତିବାରେ ସକ୍ଷମ ହେଇଥିଲା । ଆଉ ଗତ ଦୁଇଟି ଯାକ ନିର୍ବାଚନରେ କଂଗ୍ରେସର ହାତ ଖାଲି ପଡିଥିଲା ।