ଭୁବନେଶ୍ୱର(ଆମ ଟିଭି): ସଂସଦ ଦର ଶୀତକାଳୀନ ଅଧିବେଶନରେ ଓ୍ବାକଫ୍ ବୋର୍ଡ଼ ବିଲ୍ ଆସିବାର ସମ୍ଭାବନା ଅଛି। ଯୁଗ୍ମ ସଂସଦୀୟ କମିଟିରେ ବିଲ୍ ଉପରେ ଆଲୋଚନ ହୋଇସାରିଛି। ଗତ ଅଧିବେଶନରେ କିଛି ଦଳର ଦାବିକ୍ରମେ ଏହାକୁ ଯୁଗ୍ମ ସଂସଦୀୟ କମିଟି ପଠାଯାଇଥିଲା। କମିଟିର ଅଧ୍ୟକ୍ଷ ଅଛନ୍ତି ଜଗଦମ୍ବିକା ପାଲା। କିନ୍ତୁ ଗତ ଅଧିବେଶନରେ ବିଜଦ ଏହି ବିଲ୍କୁ ନେଇ ପ୍ରତିକ୍ରିୟାଶୀଳ ନଥିଲା। ଏବେ ବିଜଦ ଅଧିକରୁ ଅଧିକ କଂଗ୍ରେସ ବା ଇଣ୍ଡି ମୁହାଁ ହେଉଥିବାରୁ ଆଗାମୀ ଅଧିବେଶନରେ ଏହି ବିଲ୍କୁ ବିରୋଧ କରିବ ବୋଲି ସଙ୍କେତ ଦେଇଛି। ଅବଶ୍ୟ ଲୋକସଭାରେ ବିଜଦର କୌଣସି ସଦସ୍ୟ ନାହାନ୍ତି ।
କଂଗ୍ରେସ ସହ ବିଜଦର ନୂଆ ତାଳମେଳ ଆରମ୍ଭ ହୋଇଛି । ଝାରଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟର ବିଜୟରେ ବିଜଦ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛି। ତେଣୁ ରାଜ୍ୟସଭାରେ କଂଗ୍ରେସ ସହିତ ମିଶି ମୋଦୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ବିଜଦ । ୧୯୯୫ରେ ରାଓ ସରକାରଙ୍କ ବେଳେ ଓ୍ବାକଫ୍ ବୋର୍ଡ ବିଲ୍ ଆସିଥିଲା । ମନମୋହନ ସରକାରଙ୍କ ସମୟରେ ୨୦୧୩ରେ ଏଥିରେ ସଂଶୋଧନ କରାଯାଇ ବୋର୍ଡ଼ କୁ ଅଧିକ କ୍ଷମତା ଦିଆଯାଇଥିଲା । ଏହି ବିଲ୍ ସଂଖ୍ୟାଲଘୁ ତୁଷ୍ଟିକରଣର ସବୁଠୁ ବଡ଼ ଉଦାହରଣ।
ବିଜଦ ସାଂସଦ ମୁନ୍ନା ଖାଁ ଓ୍ବାକଫ୍ ବୋର୍ଡ଼ ଆଇନରେ ସଂଶୋଧନ ଆଣିବାକୁ ମୋଦୀ ସରକାରଙ୍କ ଉଦ୍ୟମ ବିପଜ୍ଜନକ ବୋଲି କହିଛନ୍ତି। ଏହାଦ୍ବାରା ମୁସ୍ଲିମ ସମାଜ କ୍ଷତିଗ୍ରସ୍ତ ହେବ । କିନ୍ତୁ ଭାଜପାର ଯୁବ ମୁସ୍ଲିମ ନେତା ସିକନ୍ଦର ଅଲ୍ଲୀ କଡ଼ା ଜବାବ ଦେଇଛନ୍ତି ମୁନ୍ନା ଖାଁଙ୍କୁ। ପଚାରିଛନ୍ତି, ନବୀନ ସରକାର ଓଡ଼ିଶା ରାଜ୍ୟ ଓ୍ବାକଫ୍ ବୋର୍ଡ଼ରେ ଦୁଇଜଣ ଅଣ ମୁସ୍ଲିମ୍ଙ୍କୁ କିଭଳି ସିଇଓ ଭାବେ ନିଯୁକ୍ତି ଦେଇଥିଲେ ? ସେତେବେଳେ ଏହା ଷଡ଼ଯନ୍ତ୍ର ଥିଲା କି ?