ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ଏହାରି ଭିତରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବଡ଼ ବୟାନ। କହିଲେ ଚାବି ହଜିଛି କି ନାହିଁ ଆମେ ଜାଣିନୁ। ଏନେଇ ହାଇକୋର୍ଟରେ ମାମଲା ଅଛି। ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ, ସରକାର ତର୍ଜମା କରି ପଦକ୍ଷେପ ନେବେ। ଆଜି ସାମ୍ୱାଦିକମାନେ ଆଇନମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ସୁରକ୍ଷା ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଆଇନମନ୍ତ୍ରୀ ଏପରି ନର୍ଭସ୍ ହେବା ଆଶ୍ଚର୍ୟ୍ୟ କରିଛି।
ସମ୍ବାଦିକମାନେ ପଚାରିଥିଲେ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ତ? ରତ୍ନ ଭଣ୍ଡାର ଚାବି କେମିତି ହଜିଲା? ବିଜେପି ଏହା ଉପରେ ରାଜନୀତି କରୁଛି କି? ସାମ୍ୱାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଆପଣଙ୍କ ମାଧ୍ୟମରେ ଆମେ ଏ ବିଷୟରେ ଶୁଣୁଛୁ। ହାଇକୋର୍ଟକୁ ମାମଲା ଯାଇଥିଲେ ଏବଂ ବିଚାର ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଲେ ସରକାର ବିଚାରବିମର୍ଷ କରି ପଦକ୍ଷେପ ନେବେ। ରତ୍ନ ଭଣ୍ଡାର ଚାବି ହଜିଛି କି ନ ହଜିଛି ଆମେ ଜାଣିନୁ। କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ବିଚାରବିମର୍ଶ ପରେ ପଦକ୍ଷେପ ନିଆଯିବ। କିଏ ଏହି ପ୍ରସଙ୍ଗରେ ରାଜନୀତି କରୁଛି, ନ କରୁଛି ତାହା କହିବାକୁ ଚାହୁଁନି। ବିଭିନ୍ନସ୍ତରରେ ସମସ୍ତେ ରାଜନୀତି କରନ୍ତି। ଶ୍ରଦ୍ଧାଳୁମାନଙ୍କ ଦୃଷ୍ଟିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ସରକାର ଯେଉଁ ଅନ୍ୟ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିଚାରବିମର୍ଶ କରି ପଦକ୍ଷେପ ନିଆଯାଉଛି। ଏପ୍ରସଙ୍ଗରେ କିଏ କ’ଣ କହୁଛି ସେନେଇ କହିବା ଠିକ୍ ହେବନି।