ଶିମ୍‌ଲା ଚୁକ୍ତି କ’ଣ, ଯାହାକୁ ବାତିଲ୍‌ କଲା ପାକିସ୍ତାନ

0

ପହଲଗାମ୍‌ ଆକ୍ରମଣରେ ଜର୍ଜରିତ ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବାର ଦିନକ ପରେ ଗୁରୁବାର ଇସ୍‌ଲାମାବାଦ ‘ଯେସାକୁ ତେସା’ ନୀତି ଆପଣାଇ ଶିମ୍‌ଲା ଚୁକ୍ତିକୁ ବାତିଲ କରିଦେଇଛି। ଶିମ୍‌ଲା ଚୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କଶ୍ମୀରରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିର୍ଦ୍ଧାରଣ। ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ, ସୀମାପାର ଗୁଳିଗୋଳା ବର୍ଷଣ ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ନେଇ ଏଲ୍‌ଓସିରେ ଅନେକ ସମୟରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଥାଏ। ଶିମ୍‌ଲା ଚୁକ୍ତି ବାତିଲ ଫଳରେ ଏହା ଅଧୀନରେ ଏଲ୍‌ଓସିର ବୈଧତା ନ ରହିଲେ ଦୁଇଦେଶର ସେନା ମଧ୍ୟରେ ଶତ୍ରୁଭାବ ବୃଦ୍ଧି ପାଇବା ସହ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି ହେବ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଶିମ୍‌ଲା ଚୁକ୍ତି କ’ଣ

୧୯୭୧ ମୁକ୍ତି ଆନ୍ଦୋଳନରେ ଭାରତର ହସ୍ତକ୍ଷେପ ଯୋଗୁ ପଶ୍ଚିମ ପାକିସ୍ତାନରୁ ପୂର୍ବ ପାକିସ୍ତାନ ପୃଥକ୍‌ ହେବା ସହ ବାଂଲାଦେଶର ଗଠନ ହୋଇଥିଲା। ସେହି ସମୟରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ଓ କ୍ଷେତ୍ରୀୟ ସମ୍ପର୍କକୁ ପରିଭାଷିତ କରିବା ପାଇଁ ଶିମ୍‌ଲା ଶାନ୍ତି ଚୁକ୍ତି ଏକ ଆଧାରଶୀଳା ଥିଲା। ୧୯୭୨ ଜୁଲାଇ ୨ରେ ହିମାଚଳ ପ୍ରଦେଶ ରାଜଧାନୀ ଶିମ୍‌ଲାରେ ଦୁଇଦେଶ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ରାଷ୍ଟ୍ରପତି ଜୁଲ୍‌ଫିକର ଅଲୀ ଭୁଟ୍ଟୋ ଏଥିରେ ସ୍ବାକ୍ଷର କରିଥିଲେ। ସେହିବର୍ଷ ଅଗଷ୍ଟ ୪ରେ ଏହା ଲାଗୁ ହୋଇଥିଲା। ଚୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କଶ୍ମୀରରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିର୍ଦ୍ଧାରଣ। ଦୁଇଦେଶକୁ ବିଭାଜିତ କରିଥିବା ସୀମାରେଖାରୁ ସୈନ୍ୟ ଅପସାରଣ, ପରସ୍ପରର ଯୁଦ୍ଧବନ୍ଦୀଙ୍କୁ ପ୍ରତ୍ୟର୍ପଣ, ଭବିଷ୍ୟତରେ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ଏହି ଚୁକ୍ତିରେ ସହମତି ପ୍ରକାଶ ପାଇଥିଲା। ଶିମ୍‌ଲା ଚୁକ୍ତି ରଦ୍ଦ କରିବାର ତାତ୍ପର୍ଯ୍ୟ ହେଉଛି ଏଲ୍‌ଓସିର ବୈଧତା ଉପରେ ପ୍ରଶ୍ନବାଚୀ।

Leave A Reply

Your email address will not be published.