ନିଜ ଦଳର ଚିହ୍ନ କଣ ଦେବେ ଉଦ୍ଧବ ?
ମୁମ୍ବାଇ: ଦଳୀୟ ଚିହ୍ନକୁ ନେଇ ବିବାଦ ଭିତରେ ଗତକାଲି ଏକ ନୂଆ ଟ୍ୱିଟ୍ ଦେଖିବାକୁ ମିଳିଥିଲା। ଏହି ବିବାଦ ଭିତରେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ(ଧନୁ-ତୀର)ର ବ୍ୟବହାର ଉପରେ ରୋକ ଲଗାଇ ଦେଇଥିଲେ। ଆଜି ଶିବସେନାର ଉଦ୍ଧବ ଠାକରେ କ୍ୟାମ୍ପ ମୁମ୍ବାଇର ଆନ୍ଧେରି ଇଷ୍ଟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତିନୋଟି ନାମ ଏବଂ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କୁ ଦେଇଛି।
ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ‘ଶିବସେନା ବାଲାସାହେବ ଠାକରେ’ ନାମ ପାଇଁ ପ୍ରଥମ ପସନ୍ଦ ହୋଇଥିବାବେଳେ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ଦ୍ୱିତୀୟ ପସନ୍ଦ ରହିଛି। ଏହି ନାମଗୁଡ଼ିକରେ ଉଦ୍ଧବ ଶିବିର ପକ୍ଷରୁ ବାଲାସାହେବ ଠାକରେଙ୍କ ନାଁ ବ୍ୟବହୃତ ହୋଇଛି।
ଦଳର ନାମ ଏବଂ ଚିହ୍ନ ଉପରେ ଉଭୟ ଦଳର ହକ୍ ଜାହରି କରୁଥିବା ଭିତରେ ନିର୍ବାଚନ ଆୟୋଗ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ଉଭୟଙ୍କୁ ସୋମବାର ସୁଦ୍ଧା ନିଜ ନିଜ ଦଳ ପାଇଁ ତିନୋଟି ନୂଆ ନାଁ ଏବଂ ଚିହ୍ନ ବାଛିବା ପାଇଁ କହିଛନ୍ତି। ଦୁଇ ଦଳ ଦ୍ୱାରା ପରାମର୍ଶ ଦିଆଯାଇଥିବା ନାଁ ଏବଂ ନିର୍ବାଚନ ଚିହ୍ନ ମଧ୍ୟରୁ କୌଣସି ଗୋଟିଏର ବ୍ୟବହାର ପେଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସେମାନଙ୍କୁ ଅନୁମତି ମିଳିବ।
ପାଖେଇ ଆସୁଛି ମୁମ୍ବାଇ ଅନ୍ଧେରି-ଇଷ୍ଟ ଉପନିର୍ବାଚନ। ଏହାରି ଭିତରେ ସିନ୍ଦେ ଗୋଷ୍ଠୀଙ୍କ ଅନୁରୋଧ କ୍ରମେ ନିର୍ବାଚନ କମିଶନ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି। ଉଭୟ ପକ୍ଷଙ୍କୁ ଅକ୍ଟୋବର ୧୧ ତାରିଖ ଦିନ ୧ଟା ସୁଦ୍ଧା ଦଳୀୟ ଚିହ୍ନଙ୍କୁ ଇସିଙ୍କ ନିକଟରେ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ କହିଛନ୍ତି।