ଏକାଠି ହେଲେ ପାଇଲଟ ଗେହଲଟ
ଜୟପୁର: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ‘ଗଦ୍ଦାର ବିବାଦ’ ପରେ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟ। ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗେହଲଟ ଖୋଲାଖୋଲି ଭାବେ ପାଇଲଟଙ୍କୁ ଗଦ୍ଦାର ବୋଲି କହିଥିଲେ ।ଏହାକୁ ନେଇ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ବିବାଦର ସମାଧାନ ହୋଇଥିବା ଗୋଟିଏ ବାର୍ତ୍ତା ଦେବା ପାଇଁ ସମ୍ଭବତଃ ଗେହଲଟ ଓ ପାଇଲଟ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି।
ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ଯାତ୍ରା ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ। ଏହାର ସମୀକ୍ଷା କରିବା ପାଇଁ ବରିଷ୍ଠ ନେତାମାନେ ରାଜସ୍ଥାନକୁ ଯାଇଛନ୍ତି। ଏହି ସମୟରେ ଗେହଲଟ ଓ ପାଇଲଟ ଏକାଠି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଉଭୟ ଏକାଠି ଛିଡ଼ା ହୋଇ ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ବହୁତ ବଡ଼ ସଫଳତା ହାସଲ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି।