ନୂଆଦିଲ୍ଲୀ (ଆମ ନ୍ୟୁଜ୍): ଦେଶରେ ଲାଗୁ ହେବ ବି ସମାନ ନାଗରିକ ସଂହିତା ଆଇନ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସଂପ୍ରତି ଦେଶରେ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ବିତର୍କ ମଧ୍ୟ ଜାରି ରହିଛି। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ବିଚାରଧୀନ ରହିଛି। ଏହା ମଧ୍ୟରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ଲିଖିତ ଉତ୍ତରରେ କହିଛନ୍ତି, ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ଅଛି ଏବଂ ସରକାର ଏ ପର୍ଯ୍ୟନ୍ତ ଦେଶରେ ଏହି ଆଇନ ଲାଗୁ କରିବା ନେଇ କୌଣସି ଯୋଜନା କରି ନାହାନ୍ତି।
ସମ୍ବିଧାନର ଅନୁଚ୍ଛେଦ ୪୪ରେ ପ୍ରାବଧାନ ରହିଛି ଷ୍ଟେଟ୍ ଭାରତର ପୂରା କ୍ଷେତ୍ରରେ ନାଗରିକ ସମାନ ଅଧିକାର ପାଇଁ ଏହା ପ୍ରୟାସ କରିବ।
ରିଜିଜୁ କହିଛନ୍ତି, ସଂପତ୍ତି କାହା ନାମରେ କରିବା ଏବଂ ଉତ୍ତରାଧିକାରୀ, ଯୁଗ୍ମ ପରିବାର ଓ ବିଭାଜନ, ବିବାହ ଓ ତଲାକ ପରି ବ୍ୟକ୍ତିଗତ ଆଇନ ସମ୍ବିଧାନର ସପ୍ତମ ଅନୁସୂଚୀର ସୂଚୀ ୩ରେ ରହିଛି। ଏହା ଅନୁଯାୟୀ ରାଜ୍ୟଗୁଡିକୁ ଏହା ଉପରେ ଆଇନ କରିବାର ଅଧିକାର ରହିଛି। ରାଜ୍ୟ ନିଜ ସ୍ତରରେ ୟୁସିସି ଲାଗୁ କରି ପାରିବେ।
ସମାନ ନାଗରିକତା ସଂହିତା ବିଜେପିର ରାଜନୈତିକ ଏଜେଣ୍ଡା ମଧ୍ୟରୁ ଏକ ଏବଂ ପାର୍ଟିର ୨୦୧୯ ନିର୍ବାଚନ ଇସ୍ତାହାରରେ ଏହା ଉଲ୍ଲେଖ ରହିଥିଲା। ବିଜେପି ନେତା ସମୟ ସମୟରେ ୟୁସିସି ପ୍ରସଙ୍ଗକୁ ଉଠାଇଥାନ୍ତି। ଏହି ମାମଲାରେ ବିଜେପି ଶାସିତ ଉତ୍ତରାଖଣ୍ଡ ସବୁଠୁ ଆଗରେ ରହିଛି। ପାହାଡି ରାଜ୍ୟରେ ୟୁସିସିକୁ ଲାଗୁ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ନିକଟରେ ଏହାର ବୈଠକ ମଧ୍ୟ ବସିଥିଲା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ୟୁସିସି ଉପରେ ନିଜ ରାଜ୍ୟରେ ଲାଗୁ ମୋଡେଲ୍ ପାଳନ କରିବାକୁ ଅନ୍ୟ ରାଜ୍ୟଗୁଡିକୁ ଅପିଲ୍ କରିଥିଲେ। ତେବେ କେବେ ଏହି ଆଇନ ସାରା ଦେଶରେ ଲାଗୁ ହେବ, ତାହା ଉପରେ ସମସ୍ତଙ୍କର ନଜର ରହିଛି ।