କିଏ ମିଶାଇଲା ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ
ତେହେରାନ : ରାତି ପାହିଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାକୁ ଯୋଜନା କରିଥିଲେ, କିନ୍ତୁ ତା ପୂର୍ବଦିନ ହଠାତ ଦୁଇଟି ବିଶ୍ବବିଦ୍ୟାଳୟର ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ଖାଦ୍ୟ ବିଷକ୍ରିୟା ଯୋଗୁଁ ଅସୁସ୍ଥ ହୋଇପଡ଼ିଲେ । ଏପରି ଗୁରୁତର ହୋଇପଡ଼ିଲେ ଯେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା । ଏହି ଘଟଣା ଘଟିଛି ଇରାନରେ । ହଠାତ ଏତେ ସଂଖ୍ୟକ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅସୁସ୍ଥ ହେବାପରେ ସଂଦେହ ଇରାନ ସରକାରଙ୍କ ଉପରକୁ ଯାଇଛି ।
ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଥିବାବେଳେ ତାହାକୁ ବଳପୂର୍ବକ ଦମନ କରିବାକୁ ଇରାନ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ ଇରାନର ଖାରାଜମି ଓ ଆର୍କ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାକୁ ଯୋଜନା କରୁଥିବାବେଳେ ତାହାର ପୂର୍ବଦିନ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥ ହୋଇପଡ଼ିଲେ ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଏହାର ଠିକ କିଛି ଦିନ ପୂର୍ବେ ତେହେରାନର ଅଲ-ଜାହରା ବିଶ୍ବବିଦ୍ୟାଳୟ ଓ ଇସଫହାନ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀର ଛାତ୍ରଛାତ୍ରୀମାନେ ବି ଅସୁସ୍ଥ ହୋଇଯାଇଥିଲେ ।
ଏସବୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ତିନିଦିନିଆ ବିକ୍ଷୋଭ ପାଇଁ ଘୋଷଣା କରିଥିଲେ । ତାପୂର୍ବରୁ ସେମାନେ ଅସୁସ୍ଥ ହୋଇଯାଇଥିଲେ ।