ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ ଥମିବାର ନାଁ ନେଉନାହିଁ । ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ କାମରେ ଦିଲ୍ଲୀ ଉପ ରାଜ୍ୟପାଳ ହସ୍ତକ୍ଷେପ କରୁଥିବାରୁ ନିର୍ବାଚିତ ସରକାର ଠିକ୍ ଭାବେ କାମ କରିପାରୁ ନଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ଏହି ପ୍ରସଙ୍ଗରେ ଦିଲ୍ଲୀ ବିଧାନସଭାରେ ମତ ରଖି ଉପ ରାଜ୍ୟପାଳ ଭିକେ ସକ୍ସେନା ସହରର ଗରିବ ପିଲାମାନେ ଭଲ ଶିକ୍ଷା ପାଆନ୍ତୁ ବୋଲି ଚାହୁଁ ନଥିବା କେଜ୍ରିୱାଲ କହିଛନ୍ତି।
ସେ କହିଛନ୍ତି, “ଉପ ରାଜ୍ୟପାଳ ଯେଉଁଭଳି ମୋ ଫାଇଲକୁ ଯାଞ୍ଚ କରୁଛନ୍ତି, ମୋ ସ୍କୁଲ ଶିକ୍ଷକ ମଧ୍ୟ କେବେ ହେଲେ ମୋ ହୋମୱାର୍କକୁ ତନତନ କରି ଦେଖି ନଥିଲେ। ଉପ ରାଜ୍ୟପାଳ ମୋ ପ୍ରଧାନ ଶିକ୍ଷକ ନୁହନ୍ତି। ଲୋକମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି। ଉପ ରାଜ୍ୟପାଳ ଗୋଟିଏ ମିଟିଂରେ ମୋତେ କହିଥିଲେ ଯେ ଏମସିଡି ନିର୍ବାଚନରେ ବିଜେପି ତାଙ୍କ ପାଇଁ ୧୦୪ଟି ଆସନ ଜିତିବାକୁ ସକ୍ଷମ ହୋଇଛି ଓ ଆସନ୍ତା ସାଧାରଣ ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ଜିତିବ।