ଜୟପୁର(ଆମ ଟିଭି): କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ପରେ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା? କିଏ ହେବ ରାଜସ୍ଥାନ ମୁଖିଆ? ଗେହଲଟଙ୍କ ସ୍ଥାନରେ କିଏ ସିଂହାସନରେ ବସିବ ? ଏନେଇ ଆଜି ଚିତ୍ର ସ୍ପଷ୍ଟ ହୋଇପାରେ । ଆଜି ଜୟପୁରରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେବେ । ପର୍ୟ୍ୟବେକ୍ଷକ ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକେନ ବୈଠକରେ ଉପସ୍ଥିତ ରହିବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ସଭାପତି ରେସରେ ମଧ୍ୟ ସେ ସବୁଠୁ ଆଗରେ ରହିଛନ୍ତି । ଏହାସହ ତାଙ୍କ ସପକ୍ଷରେ ଗାନ୍ଧି ପରିବାର ସମର୍ଥନ ଥିବାରୁ ଗେହଲଟ ସଭାପତି ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ଗେହଲଟ ସଭାପତି ହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ । ଏଥିପାଇଁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଥିପାଇଁ ଆଜି ଜୟପୁରରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବିଧାୟକଙ୍କ ବୈଠକ ଡକାଇଛି କଂଗ୍ରେସ ।