କିଏ ହେବେ କଂଗ୍ରେସର ନୂଆ ମୁଖିଆ? ସଭାପତି ପଦବିକୁ ନେଇ ତଥାପି କେଁ

0

ଭୁବନେଶ୍ବର (ଆମ ଟିଭି): କିଏ ହେବେ କଂଗ୍ରେସର ନୂଆ ମୁଖିଆ? କାହା ହାତରେ ରହିବ ଓଡ଼ିଶା ପ୍ରଦେଶ କଂଗ୍ରେସ କମାଣ? ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା କଂଗ୍ରେସ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଚର୍ଚ୍ଚାରେ।  ପ୍ରଭାରୀ ଅଜୟ କୁମାର ଦେଇଥିବା ୩ଟି ପ୍ରସ୍ତାବକୁ କମିଟିର ସଦସ୍ୟମାନେ ତୀବ୍ର ବିରୋଧ କରିଛନ୍ତି। ପିସିସି ସଭାପତି ଚୟନ ପାଇଁ ୩ଟି ନାଁ ପ୍ରସ୍ତାବ, କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଓ ଜିଲ୍ଲା-ବ୍ଲକ୍‌ ସଭାପତିଙ୍କୁ କମିଟିର ସଦସ୍ୟମାନେ ଚୟନ କରିବା ଭଳି ପ୍ରସ୍ତାବ ଉପରେ ସହମତି ହୋଇପାରିନାହିଁ। ଫଳରେ ସଭାପତି ଚୟନ ପ୍ରକ୍ରିୟାଟି ପୁଣି ଥରେ ହାଇକମାଣ୍ଡଙ୍କ ହାତକୁ ଚାଲିଯାଇଛି ଓ ଏଥିପାଇଁ ଦେଢ଼ ମାସ ସମୟ ନେଇଛନ୍ତି ପ୍ରଭାରୀ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଷ୍ଟିୟରିଂ କମିଟି ବୈଠକରେ ପିସିସି ସଭାପତି ଚୟନ ପାଇଁ ସଦସ୍ୟମାନଙ୍କୁ ଅତିକମ୍‌ରେ ୩ଟି ନାମ ଦେବା ଲାଗି କୁହାଯାଇଥିଲା। ହେଲେ ସଭାପତି ନିଯୁକ୍ତି ପାଇଁ ସର୍ବଦା ହାଇକମାଣ୍ଡ ନିଷ୍ପତ୍ତି ନେଉଥିବାରୁ, ହାଇକମାଣ୍ଡ ଯାହାକୁ ସଭାପତି କରିବେ ତାଙ୍କ ସହ କାମ କରିବୁ। ଏହାଛଡ଼ା ସଦସ୍ୟମାନେ ଯଦି କାହାର ନାମକୁ ସୁପାରିସ କରନ୍ତି ମାତ୍ର ଦିଲ୍ଲୀରେ ତାଙ୍କ ବଦଳରେ ଆଉ କାହାରିକୁ ନିଯୁକ୍ତି ଦିଆଯାଏ ତାହାଲେ ପ୍ରସ୍ତାବର କୌଣସି ମୂଲ୍ୟ ରହିବ ନାହିଁ। ତେଣୁ ଗୋପନରେ ନାମ ଦେବା ପ୍ରକ୍ରିୟାଟି କୌଣସି ପ୍ରକାର ଫଳପ୍ରଦ ହେବ ନାହିଁ ବୋଲି କିଛି ସଦସ୍ୟ କହିଥିଲେ।

ସେହିପରି ଓଡ଼ିଶା କଂଗ୍ରେସରେ ପୁଣିଥରେ କାର୍ଯ୍ୟକାରୀ ସଭାପତି ପଦବି ଫେରାଇବା ଉପରେ ଅଜୟ କୁମାର ଗୁରୁତ୍ବ ଦେଇଥିଲେ। ଯାହାକୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ପୂର୍ବରୁ ଏଭଳି କାର୍ଯ୍ୟକାରୀ ସଭାପତି ପଦବି ରଖାଯାଇଥିଲା। ହେଲେ ଯେଉଁମାନେ କାର୍ଯ୍ୟକାରୀ ସଭାପତି ହେଲେ ସେମାନେ ଅନ୍ୟ ଦଳରେ ମିଶିଗଲେ। ସେ ଦଳରେ ନିଜର ସଂଗଠନ ବଢ଼ାଇବା ସହ ଅନ୍ୟ ଦଳ ମଜଭୁତ ହେଲା। ତେଣୁ ଏଭଳି ପଦବି ସୃଷ୍ଟି କରି କୌଣସି ଲାଭ ନାହିଁ। ଅନ୍ୟ ସଦସ୍ୟମାନେ ମଧ୍ୟ ଏପ୍ରକାର ପ୍ରସ୍ତାବକୁ ବିରୋଧ କରିଥିଲେ। ଏହାସହ ଷ୍ଟିୟରିଂ କମିଟିର ସଦସ୍ୟମାନେ ତୃଣମୂଳସ୍ତରକୁ ଯାଇ ଜିଲ୍ଲା-ବ୍ଲକ୍ ସ୍ତରୀୟ ସଭାପତି ଚୟନରେ ପ୍ରମୁଖ ଭୂମିକା ନେବା ଲାଗି କୁହାଯାଇଥିଲା। ଏଥିରେ ମଧ୍ୟ କୌଣସି ପ୍ରକାର ସହମ୍ମତି ହୋଇପାରିନାହିଁ।

Leave A Reply

Your email address will not be published.