କିଏ ହେବେ ଭୁବନେଶ୍ୱର କ୍ଲବର ନୂଆ ସଭାପତି ?

0

ଭୁବନେଶ୍ୱର (ଆମ ଟିଭି): ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ରାଜ୍ୟର ସବୁଠୁ ନାମୀ ଦାମୀ କ୍ଲବ ହେଉଛି ଭୁବନେଶ୍ୱର କ୍ଲବ । ଆଉ ଏହାର ସଭାପତି କିଏ ହେବ, ତାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଲଢେଇ । ଆସନ୍ତା ୨୪ ତାରିଖରେ ଏହି ପଦ ପାଇଁ ଦେଖିବାକୁ ମିଳିବ ଲଢ଼େଇ । ଏହି ସଭାପତି ପଦ ପାଇଁ ଦୁଇ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ହେବ ମୁକାବିଲା ।

ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପୂର୍ବତନ ଉନ୍ନୟନ କମିସନର ସତ୍ୟପ୍ରକାଶ ନନ୍ଦ । ଏଥିପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ସେମାନଙ୍କ ଟିମ୍ର ବ୍ୟାନର କରିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ ହୋଇଛି । ଅସିତ ତ୍ରିପାଠୀଙ୍କ ଟିମର ପ୍ରମୁଖ ସ୍ଲୋଗାନ ହେଉଛି, ତାଙ୍କ ସମୟରେ ହୋଇଥିବା ରୂପାନ୍ତରଣ କାର୍ୟ୍ୟ । ଭିତିଭୂମିକୁ ନୂଆ ରୂପ ଦିଆଯାଇ କିପରି କ୍ଲବର ବହୁମୁଖୀ ଉନ୍ନତି ହୋଇଛି, ଏହି ତାଲିକା କ୍ଳବ ସଦସ୍ୟଙ୍କୁ ଦେଉଛନ୍ତି ଅସିତ । ତାଙ୍କ କହିବା କଥା, ସେ ଦାୟିତ୍ୱ ନେବା ପରେ କ୍ଲବର ଚେହେରା ବଦଳିଯାଇଛି । ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ପଥ ହେବା ସହ ସୁଇମିଂ ପୁଲର ନୂଆ ରୂପ ଦିଆଯାଇଛି । ସେକେଣ୍ଡ ଲନ୍ରେ ବଡ଼ ୱାସରୁମ୍, ପ୍ରାଇଭେଟ ପାର୍ଟିଙ୍କ ପାଇଁ ଲାଉଂଜ କରାଯାଇଛି । ରୂପାନ୍ତରଣ କାମର ଏହି ଧାରା ଆଗକୁ ଜାରି ରହିବ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

ସେପଟେ ସତ୍ୟପ୍ରକାଶ ନନ୍ଦଙ୍କ ଆହ୍ୱାନ ହେଉଛି – କ୍ଳବକୁ ବଂଚାନ୍ତୁ, ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭୋଟ ଦିଅନ୍ତୁ । ତାଙ୍କର ଅଭିଯୋଗ, ଉପର ଚିକଚାକ୍ ରହିଛି, କିନ୍ତୁ ସେବା ନିମ୍ନମାନର ରହିଛି । ଘରୋଇ କଂପାନୀ ଭଳି ଚାଲିଛି କ୍ଲବ । ବାରମ୍ବାର ଚିଠି ଲେଖିଲେ ବି ଟଙ୍କା କେଉଁଠୁ ଆସୁଛି, ତାର ହିସାବ ଦିଆଯାଉନି । ସଦସ୍ୟତା ଦେବା ପାଇଁ ଜାଲିଆତି ହେଉଛି, ଭୋଟ କିଣା ହେଉଥିବା ଭଳି ଅଭିଯୋଗ ଲଗାଇଛନ୍ତି ସତ୍ୟପ୍ରକାଶ ନନ୍ଦ । ଯଦି ଭୁବନେଶ୍ୱର କ୍ଲବର ଇତିହାସ ଉପରେ ଟିକେ ନଜର ପକାଇବା ତେବେ ଆଇଏଏସ୍ ଅଫିସରଙ୍କ ଆଧିପତ୍ୟ ଭୁବନେଶ୍ୱର କ୍ଲବରେ ରହି ଆସିଛି । କ୍ଲବର ସଭାପତି ନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଥାଏ । ଏହି ନିର୍ବାଚନ କେବଳ ଦୁଇ ପକ୍ଷଙ୍କ ମଧ୍ୟରେ ସୀମିତ ରହିନଥାଏ । କ୍ଷମତା ଅଳିନ୍ଦର ଦୁଇ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସମ୍ମାନର ପ୍ରଶ୍ନ ହୋଇ ରହିଥାଏ ।

 

Leave A Reply

Your email address will not be published.