ଭୁବନେଶ୍ବର (ଆମ ଟିଭି): କିଏ ଧରିବେ ରାଜ୍ୟ କଂଗ୍ରେସ ମଙ୍ଗ? ଆଜିଠୁ ଆରମ୍ଭ ହୋଇଛି ଦଳର ମୁଖିଆ ଖୋଜା। ଭୁବନେଶ୍ବରରେ ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ । ଦଳର ବରିଷ୍ଠ ନେତାଙ୍କ ସହ ସେ ଆଲୋଚନା କରୁଛନ୍ତି । ଯାହା ମତାମତ ରହିବ, ସେନେଇ କଂଗ୍ରେସ ହାଇକମାଣ୍ଡକୁ ଜଣାଇବେ ବୋଲି ଚରଣ ଦାସ ମହନ୍ତ କହିଛନ୍ତି । ସେପଟେ ପିସିସି ସଭାପତି ରେସରେ ରହିଛନ୍ତି ଭକ୍ତ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲାକା, ଶ୍ରୀକାନ୍ତ ଜେନାଙ୍କ ସହ ଅନେକ ନେତା । ତେବେ ପ୍ରଶ୍ନ, କାହାର ପଲ୍ଲା ଭାରି? କାହାକୁ ମିଳିବ ପିସିସି ଦାୟିତ୍ବ?
ପିସିସି ସଭାପତି ପାଇଁ ଲବି ନା ଛବି?
ରାଜ୍ୟ କଂଗ୍ରେସ ସଭାପତି ପଦ ପାଇଁ ଆଜିଠାରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶା ଆସିଛନ୍ତି ଛତିଶଗଡ଼ ନେତା ତଥା ପିସିସି ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ । ରାଜ୍ୟ କଂଗ୍ରେସର ସବୁ ବରିଷ୍ଠ ନେତାଙ୍କୁ ଭେଟିବା ସହ ସେମାନଙ୍କ ମତାମତ ନେଉଛନ୍ତି । କେମିତି କଂଗ୍ରେସକୁ ମଜବୁତ କରିହେବ? କିଏ ମଙ୍ଗ ଧରିଲେ କଂଗ୍ରେସ ଲୋକଙ୍କ ଭରସା ଜିତିପାରିବ? କେମିତି କଂଗ୍ରେସ ସରକାର ଗଠନ ହୋଇପାରିବ? ସେନେଇ କଂଗ୍ରେସ ଭବନରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଛନ୍ତି । କିଛି ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ବି କରିପାରନ୍ତି । ପରେ ମତାମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ତେବେ ତାଙ୍କ ପାଖରେ ଲବି କାମ କରିବନି ବୋଲି ଚରଣ ଦାସ ମହନ୍ତ କହିଛନ୍ତି ।