କିଏ କେଉଁଠି ପତାକା ଉତ୍ତୋଳନ କରିବେ: ଜାଣନ୍ତୁ?

0

ଭୁବନେଶ୍ୱର (ଆମ ଟିଭି): ଆଉ ଦିନ କେଇଟା ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଆସନ୍ତା ଅଗଷ୍ଟ ୧୫ ତାରିଖ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟମାନେ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ଏ ନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲାରେ, ରାଉରକେଲା ଓ ବ୍ରହ୍ମପୁରରେ ୨ଜଣ ଆର୍‌ଡିସି ଏବଂ ୧୦ଟି ଜିଲାରେ ଜିଲାପାଳମାନେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିବେ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ ଅଭିବାଦନ ଗ୍ରହଣ କରିବେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ପତାକା ଉତ୍ତୋଳନ କରିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁରୀ, କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୋରାପୁଟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗଞ୍ଜାମ, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବରଗଡ଼, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସମ୍ବଲପୁର, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦୁଝର ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଅନୁଗୋଳ ଜିଲାରେ ପତାକା ଉତ୍ତୋଳନ କରିବେ।

ସେହିପରି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ା ଜିଲାରେ ପତାକା ଉତ୍ତୋଳନ କରିବା ବେଳେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଜଗତ୍‌ସିଂହପୁର, ଭିନ୍ନକ୍ଷମ ଓ ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବଲାଙ୍ଗୀର, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୁନ୍ଦରଗଡ଼, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଟକ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାଲେଶ୍ୱର, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଝାରସୁଗୁଡ଼ା, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୟୂରଭଞ୍ଜ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କଳାହାଣ୍ଡି, କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ସୋନପୁର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଢେଙ୍କାନାଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ୍‌ ଅଭିବାଦନ ଗ୍ରହଣ କରିବେ।

ସେହିପରି ଭଦ୍ରକ, ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲାରେ ସମ୍ପୃକ୍ତ ଜିଲାପାଳ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଞ୍ଚଳ ଆର୍‌ଡିସି ଓ ଉତ୍ତରାଞ୍ଚଳ ଆର୍‌ଡିସି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.