କିଏ ଦେବ କେତେ ଆସନରେ ପ୍ରାର୍ଥୀ, ଖୁବ ଶୀଘ୍ର ନିଷ୍ପତ୍ତି ନେବ ମେଣ୍ଟ

0

ନୂଆଦିଲ୍ଲୀ : ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ନୂଆଦିଲ୍ଲୀ ବାସଭବନରେ ହୋଇଥିବା ଏହି ବୈଠକରେ ଜାତିଗତ ଜନଗଣନା କରାଯିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ଖୁବ୍‌ ଶୀଘ୍ର ଆସନ ବୁଝାମଣା ଉପରେ ନିଷ୍ପତ୍ତି ନିଆଯିବ। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ମିଳିତ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ବୈଠକ ଶେଷରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି।

ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ଉଠିଥିବାବେଳେ ଇଣ୍ଡିଆ ବ୍ଲକ୍‌ର ୧୪ ଜଣିଆ ସମନ୍ବୟ ସମିତି ବୈଠକରେ ୧୨ ସଦସ୍ୟ ଉପସ୍ଥିତ ଥିଲେ। ସମନ୍ବୟ ସମିତି ସଦସ୍ୟ ବେଣୁଗୋପାଳ କହିଥିଲେ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ନିଯୁକ୍ତିରେ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ କରାଯାଇଥିବାରୁ ସେ ବୈଠକରେ ଯୋଗଦେଇପାରି ନାହାନ୍ତି। ଅଭିଷେକଙ୍କ କହିବା ହେଲା, ବୈଠକ ଥିବାରୁ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଉଦ୍ଦେଶ୍ୟ ରଖି ସମନ ପଠାଇବା ପାଇଁ ଉଡିକୁ ପ୍ରବର୍ତ୍ତାଇଛନ୍ତି।

Leave A Reply

Your email address will not be published.