କାହିଁକି ବଢୁଛି ଥାଇରଏଡ ସମସ୍ୟା, ଜାଣନ୍ତୁ ଏହାର ପ୍ରମୁଖ କାରଣ ଓ ନିରାକରଣ*
ଥାଇରଏଡ୍ ଏକ ଗ୍ରନ୍ଥି ଜନିତ ସମସ୍ୟା। ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଥାଇରଏଡ୍ ସମସ୍ୟା ରହିଛି। ମୋଟ ଉପରେ, ଦେଶରେ ୪.୨ କୋଟିରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଅଛନ୍ତି। ତେଣୁ, କମ୍ ବୟସର ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯିବାର କାରଣ, ଲକ୍ଷଣ ସହ କେମିତି ସାବଧାନ ରହିପାରିବେ ।
*ପ୍ରମୁଖ କାରଣ*
କମ୍ ବୟସରେ ମହିଳାମାନଙ୍କଠାରେ ଥାଇରଏଡ୍ ହେବାର ଅନେକ କାରଣ ରହିଛି, ଯେପରିକି ଭୂତାଣୁଜନିତ ସଂକ୍ରମଣ, ଚିନ୍ତା, ଆୟୋଡିନ୍, ଆଇରନ୍ ଓ ଜିଙ୍କ୍ ପରି ପୋଷକ ତତ୍ତ୍ୱର ଅଭାବ ସହ କମ୍ ଶାରୀରିକ ସକ୍ରିୟତା ଆଦି ସାମିଲ ରହିଥାଏ । ବ୍ୟସ୍ତବହୁଳ ଦିନଚର୍ଯ୍ୟା ଯୋଗୁ ମହିଳାମାନେ ପ୍ରାୟତଃ ଜଙ୍କ୍ ଓ ପ୍ୟାକେଜ୍ଡ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ୍ ଗ୍ରନ୍ଥି ପ୍ରଭାବିତ ହେଉଛି ।
*ଲକ୍ଷଣ*
ଯଦି ମାସିକ ଧର୍ମରେ ଅନିୟମିତତା, ଓଜନ ବଢିବା, କେଶ ଝଡିବା, ଦୁର୍ବଳ ଲାଗିବା ତ୍ୱଚା ଶୁଷ୍କ ହେବା, ଗଳାରେ ଭାରୀପଣ, ଚିଡଚିଡା ଲାଗିବା କିମ୍ବା ଖରାପ କୋଲେଷ୍ଟେରଲ୍ ବଢିବା ପରି ଲକ୍ଷଣମାନ ଦେଖା ଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନେବା ଉଚିତ୍ ।
*ସାବଧାନ କେମିତି ରହିବେ*
ଡାକ୍ତରଙ୍କ ପରାମର୍ଶକ୍ରମେ ନିୟମିତ ଔଷଧ ଖାଇବା ସହ ଆବଶ୍ୟକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରି । ଭିଟାମିନ୍-ଡି, ପ୍ରୋବାୟୋଟିକ୍ ଆହାର ନେବା ଆବଶ୍ୟକ । ସେହିପରି ମୌସୁମୀ ଫଳ ମଧ୍ୟ ଖୁବ୍ ହିତକର । ସୈନ୍ଧବ ଲୁଣ ଓ ଚିନିଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ । ଆଇରନ୍ ଓ ମ୍ୟାଗ୍ନେସିୟମ୍ ଯୁକ୍ତ ପାଳଙ୍ଗ ଓ ପତ୍ରଯୁକ୍ତ ଶାଗକୁ ଗୁରୁତ୍ୱ ଦିଅନ୍ତୁ । ନିୟମିତ ଯୋଗ, ପହଁରିବା ଓ ଶାରୀରିକ ସକ୍ରିୟତାକୁ ଗୁରୁତ୍ୱ ଦେବାକୁ ଭୁଲନ୍ତୁନି । ଏଥିପାଇଁ ଯୋଗ ବା ବ୍ୟାୟାମର ସହାୟତା ନେଇପାରିବେ ।