କାହିଁକି ଦିଲ୍ଲୀ ଜିତିପାରୁନି ବିଜେପି? ସରଳରେ ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ…

0

ନୂଆଦିଲ୍ଲୀ (ଆମ ଟିଭି): ୨୭ବର୍ଷ ହେଲା ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ସୁଷମା ସ୍ବରାଜ ଥିଲେ ଦିଲ୍ଲୀରେ ବିଜେପିର ଶେଷ ମୁଖ୍ୟମନ୍ତ୍ରୀ । ୧୯୯୮ମସିହାରେ ମାତ୍ର ୫୨ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାପରଠୁ ଲଗାତର ୬ଟି ବିଧାନସଭା ନିର୍ବାଚନ ହାରିଛି ବିଜେପି । ୧୯୯୮, ୨୦୦୩ ଓ ୨୦୦୮ରେ କଂଗ୍ରେସଠାରୁ ତ ୨୦୧୩, ୨୦୧୫ ଓ ୨୦୨୦ରେ ଆମ ଆଦମୀ ପାର୍ଟିଠାରୁ ନିର୍ବାଚନ ହାରିଛି ବିଜେପି । ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ଭୋଟ୍ ହେବାକୁ ଯାଉଥିବା ବେଳେ ଏଥର କ୍ଷମତାର ବନବାସ ସାରି ଦିଲ୍ଲୀ ଦଖଲ କରିବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ପରିବର୍ତ୍ତନର ନାରା ଲଗାଇ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପକୁ ଦୁର୍ନୀତି ପ୍ରସଙ୍ଗରେ ଟାର୍ଗେଟ୍ କରୁଛି ।

ଭୋଟ୍ ମିଳୁଛି ବିଜୟ ମିଳୁନି

ଦିଲ୍ଲୀର ୭୦ଟି ବିଧାନସଭା ସିଟରେ ବୁଥସ୍ତର ପର୍ଯ୍ୟନ୍ତ ବିଜେପିର ସାଂଗଠନିକ ସ୍ଥିତି ସୁଦୃଢ ରହିଛି । ଆଗାମୀ ନିର୍ବାଚନ ପାଇଁ ବସ୍ତି ହେଉ କି ବେଆଇନ୍ କଲୋନୀ, ସବୁଠି ପହଞ୍ଚୁଛି ବିଜେପି । ବିଜେପି ଦିଲ୍ଲୀରେ କ୍ଷମତାରେ ରହିନଥିଲେ ମଧ୍ୟ ଦଳର ଭୋଟ୍ ସେୟାର ୩୦ପ୍ରତିଶତ ଉପରେ ରହିଛି । ୨୦୧୫ରେ ଆପ୍ ଦିଲ୍ଲୀରେ ୬୭ଟି ସିଟ୍ ଜିତି କ୍ଷମତାକୁ ଆସିଥିଲା । ହେଲେ ୩୨ପ୍ରତିଶତ ଭୋଟ୍ ପାଇଥିବା ବିଜେପି ମାତ୍ର ୩ଟି ସିଟ୍ ଜିତିଥିଲା । ସେହିପରି ୨୦୨୦ ନିର୍ବାଚନରେ ବିଜେପିର ଭୋଟ୍ ସେୟାର ବଢି ୩୮.୫୧ ରହିଥିଲା । ହେଲେ ଦଳ ମାତ୍ର ୮ଟି ସିଟ୍ ଜିତିଥିଲା । କେବଳ ସେତିକି ନୁହେଁ ୨୦୧୪ରୁ ଦିଲ୍ଲୀର ସମସ୍ତ ଲୋକସଭା ସିଟ୍ ଜିତିଆସୁଛି ବିଜେପି । ହେଲେ ବିଧାନସଭାରେ ଫେଲ୍ ମାରୁଛି ଦଳ ।

ଆମ ଆଦମୀ ପାର୍ଟି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀର ଲୋକଙ୍କ ପାଖରେ ପହଞ୍ଚୁଛି ବିଜେପି । ଶିଶମହଲ ହେଉ କି ଦିଲ୍ଲୀ ମଦ ନୀତି, ଦୁର୍ନୀତିକୁ ଅସ୍ତ୍ର କରି ଏଥର ନିର୍ବାଚନ ମଇଦାନରେ ବିଜୟ ଗଣିତ କଷୁଛି ଦଳ । ଏହାସହ ଜଳ ଅଭାବ, ଦୂଷିତ ପାଣି ଯୋଗାଣ, ବାୟୁ ପ୍ରଦୂଷଣ, ବର୍ଷାଦିନେ ଜଳବନ୍ଦୀ ସ୍ଥିତି, ଖରାପ ରାସ୍ତା ଓ ଯାତାୟତ ପାଇଁ ଖରାପ ବସସେବାକୁ ପ୍ରସଙ୍ଗ କରିଛି ବିଜେପି । ଲୋକଙ୍କ ସମସ୍ୟାକୁ ନେଇ ମୁଖର ହେଉଛନ୍ତି ଦଳର ନେତା । ଆପ୍ ବିରୋଧରେ ଶାସନ ବିରୋଧୀ ଲହର ରହିଥିବା ବେଳେ ଏଥିରୁ ଫାଇଦା ନେବାକୁ ରଣନୀତି କରୁଛି ବିଜେପି । ଆପ୍ ବିଧାୟକଙ୍କ ବିଫଳତା ଦେଖାଇବାକୁ ଦଳ ପକ୍ଷରୁ ଚାର୍ଜସିଟ୍ ଜାରି କରାଯାଇଛି ।

ଦିଲ୍ଲୀରେ କେଜ୍ରିଓ୍ବାଲ Vs ମୋଦି

ଦିଲ୍ଲୀରେ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆପ୍ ମଡେଲ ତୁଳନାରେ କେନ୍ଦ୍ର ସରକାରଙ୍କ ମଡେଲକୁ ଦର୍ଶାଉଛନ୍ତି। ଡବଲ୍ ଇଞ୍ଜିନ ସରକାର ଆଣିବାକୁ ଦିଲ୍ଲୀବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦି । ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଜୋଶରେ ରହିଥିବା ବିଜେପି ଦିଲ୍ଲୀରେ ବି ବିଜୟ ବାନା ଉଡାଇବାକୁ ଉଦ୍ୟମ କରୁଛି । ତେବେ ଦିଲ୍ଲୀ ବିଜେପିରେ କେଜ୍ରିଓ୍ବାଲଙ୍କ ତୁଳନାରେ ସେଭଳି ଲୋକପ୍ରିୟ ନେତା ନାହାନ୍ତି । ପୂର୍ବରୁ ୨୦୧୫ରେ ପୂର୍ବତନ ଆଇପିଏସ୍ କିରଣ ବେଦୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା କରିଥିଲେ ବି ଫେଲ୍ ମାରିଥିଲା ଦଳର ରଣନୀତି । ଏଥର ମୋଦିଙ୍କ ଚେହେରାରେ ନିର୍ବାଚନ ଲଢୁଛି ବିଜେପି ।

Leave A Reply

Your email address will not be published.