କାହିଁକି ଏମିତି କହିଲେ ବରୁଣ ଗାନ୍ଧି

0

ଚେନ୍ନାଇ : ଦୁଇଦୁଇଥର ମୋତେ ମନ୍ତ୍ରିପଦ ଯଚାଯାଇଛି, କିନ୍ତୁ ମୁଁ ଗ୍ରହଣ କରିନାହିଁ, ଯାହା ବହୁଲୋକ ଜାଣନ୍ତି ନାହିଁ ବୋଲି ଶୁକ୍ରବାର ଥିଙ୍କ୍-ଏଜୁ କନ୍‌କ୍ଲେଭ୍‌ରେ ଭାଷଣ ଦେବା ଅବସରରେ ବିଜେପି ଏମ୍‌ପି ବରୁଣ ଗାନ୍ଧି କହିଛନ୍ତି। ଏହି ଅବସରରେ ବରୁଣଙ୍କୁ ପଚରାଯାଇଥିଲା ଯେ ସେ ଯେତେବେଳେ ମନ୍ତ୍ରିପଦକୁ ପ୍ରତ୍ୟାଖାନ କଲେ ତାହାକୁ ନେଇ କେହି ଅପମାନିତ ଅନୁଭବ କରିଛନ୍ତି କି? ଉତ୍ତରରେ ବରୁଣ କହିଥିଲେ- ଯଦି ଆପଣ ଜଣକୁ ସମ୍ମାନର ସହ କିଛି କଥା କହନ୍ତି, ସମ୍ମାନରେ ଯଦି ହାନି ହେଉ ନ ଥାଏ, ଯଦି ଆପଣଙ୍କ କଥାରେ ଯୁକ୍ତି ଥାଏ, ତେବେ ବଡ଼ ହୃଦୟରେ ଲୋକେ ତାହା ଗ୍ରହଣ କରିବେ।

ବରୁଣ କହିଲେ ଯେ, ସେ ଯଦି ଶିକ୍ଷାମନ୍ତ୍ରୀ ହୋଇଥାନ୍ତେ, ତେବେ ସେ ଚାରିଟି କାମ କରିଥାନ୍ତେ। ପ୍ରଥମେ ସେ ପାଠ୍ୟକ୍ରମ ବଦଳାଇଥାନ୍ତେ ଏବଂ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି କରିଥାନ୍ତେ। ତା’ପରେ ସେ କୁଶଳୀ ଲୋକଙ୍କ ଉପରେ ଅଧିକ ବ୍ୟୟ କରିଥାନ୍ତେ। ଦକ୍ଷିଣ କୋରିଆରେ ୯୪ ପ୍ରତିଶତ ଲୋକ କୁଶଳୀ ହେଲାବେଳେ ଭାରତରେ ୪ ପ୍ରତିଶତ ଲୋକ କୁଶଳୀ ବୋଲି ସେ କହିଥିଲେ। ତା’ପରେ ଦକ୍ଷିଣ କୋରିଆ ଓ ଜର୍ମାନୀ ପରି ସେ ବୃତ୍ତିଗତ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତେ। ସେ କହିଲେ ଯେ ଭାରତରେ ଗତ ୫ ବର୍ଷ ଭିତରେ ସୃଷ୍ଟି କରାଯାଇଥିବା ୭୯ ପ୍ରତିଶତ ସରକାରୀ ଚାକିରି ହେଉଛି ଚୁକ୍ତିଭିତ୍ତିକ। ଏଭଳି ଚାକିରି ପ୍ରକୃତ ଚାକିରି ନୁହେଁ କାରଣ ଏଥିରେ ପେନସନ ନାହିଁ କି ସାମାଜିକ ସୁରକ୍ଷା ନାହିଁ।

ବରୁଣ କହିଲେ ଯେ, ସେ ଆଗତ କରିଥିବା ବିଲ୍ ଅନୁସାରେ- ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କେତେ ପଦବି ଖାଲି ଅଛି ଚିହ୍ନଟ କର, ୪୫ରୁ ୬୦ ଦିନ ଭିତରେ ପରୀକ୍ଷା କର, ତା’ପରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କର। କେତେକ ମନ୍ତ୍ରୀଙ୍କ ସହ ବି ମୁଁ କଥା ହୋଇଛି, ଯେଉଁମାନେ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବରୁଣ କହିଥିଲେ। ସାଂସଦମାନେ ନିଜେ ନିଜର ଦରମା ବୃଦ୍ଧି କରୁଥିବାରୁ ଏଥିରେ କ୍ଷୋଭ ପ୍ରକାଶ କରି ବରୁଣ କହିଥିଲେ ଯେ ମନଇଚ୍ଛା ନିଜର ଦରମା ବା ଭତ୍ତା ବୃଦ୍ଧି କରିବାର କ୍ଷମତା ସାଂସଦମାନଙ୍କର ରହିବା ଉଚିତ ନୁହେଁ।

Leave A Reply

Your email address will not be published.