ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରଚାର କରୁଥିବା ଥରୁର ଦାବି କରିଛନ୍ତି ଯେ ଦଳର କିଛି ନେତା ତାଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କୁ ଅଭିଯୋଗ କରିଥିଲେ। ଏଥିସହ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବାକୁ ରାହୁଲ ଗାନ୍ଧି ତାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କିଛି ନେତା ଅନୁରୋଧ କରିଥିଲେ ବୋଲି ଶଶି ଥରୁର କହିଛନ୍ତି। କେରଳ ପିସିସି ସଭାପତି କେ ସୁଧାକରନ ଖୋଲାଖୋଲି ଭାବେ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ଏହି ବୟାନର କିଛି ଦିନ ପରେ ଆଜି ଥରୁର ଏପରି କହିଛନ୍ତି।
ରାହୁଲ ଗାନ୍ଧିଙ୍କ ସହ ତାଙ୍କ କଥାବାର୍ତ୍ତାକୁ ମନେ ପକାଇ ଥରୁର କହିଛନ୍ତି, “କିଛି ନେତା ମୁଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଦିଏ ବୋଲି ଚାହୁଁଥିଲେ। ଏନେଇ ସେମାନେ ରାହୁଲ ଗାନ୍ଧିଙ୍କ ପାଖରେ ପହଞ୍ଚିଥିଲେ। କିନ୍ତୁ ରାହୁଲ ଗାନ୍ଧି ସେମାନଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ। କାରଣ ରାହୁଲ ଗାନ୍ଧି ଚାହୁଁଛନ୍ତି ଯେ ମୁଁ ସଭାପତି ନିର୍ବାଚନ ଲଢ଼େ। ଏହା ଦଳକୁ ଫାଇଦା ଦେବ ବୋଲି ସେ ଜାଣିଛନ୍ତି ।
ଦଳର ଗୋଟିଏ ବଡ଼ ଭାଗ ମୋତେ ସମର୍ଥନ କରୁନାହାନ୍ତି। କିନ୍ତୁ କୌଣସି ଭୋଟର ଆଦୌ ଚିହ୍ନା ପଡ଼ିଯିବାର ଭୟ ରଖି ମତଦାନ କରନ୍ତୁ ନାହିଁ। ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀଙ୍କ ପକ୍ଷରୁ ସର୍କ୍ୟୁଲାର ଆସିବା ପୂର୍ବରୁ ସମ୍ଭବତଃ ସେମାନେ(କେରଳ ପିସିସି) ପକ୍ଷରୁ ବୟାନ ଆସିଥିଲା। ଏହି ସମାନ୍ୟ ବୟାନ ପାଇଁ ମୁଁ ଅଭିଯୋଗ କରିବାକୁ ଯିବିନି।
ମୁଁ ଭାବୁଛି ଗାଇଡଲାଇନ ଆସିବା ପୂର୍ବରୁ ସେମାନେ ଏପରି ବୟାନ ଦେଇଥିଲେ। ସଭାପତି ଓ ପୂର୍ବତନ ସଭାପତି ମୋତେ କଥା ଦେଇଛନ୍ତି ଯେ ଦଳ ପକ୍ଷରୁ କାହାକୁ ବି ପ୍ରାର୍ଥୀ କରାଯାଇନି। ସେମାନେ ମଧ୍ୟ ପୂରା ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷ ହୋଇ ରହିବେ।