ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ କାହିଁକି ଆହ୍ବାନ ଦେଉଛନ୍ତି ଭକ୍ତ ଦାସ?

0

ଭୁବନେଶ୍ବର(ଆମ ଟିଭି): ବର୍ତ୍ତମାନ ରାଜ୍ୟ ରାଜନୀତିରେ ସବୁଠୁ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଆଉ ଏହି ଚର୍ଚ୍ଚାର ମୁଖ୍ୟ ନାୟକ ଯିଏ ସେ ହେଉଛନ୍ତି କଂଗ୍ରେସ ସଭାପତି ଭକ୍ତ ଦାସ। ଓଡିଶାର ମହିଳା ନିର୍ଯ୍ୟାତନା ବିରୋଧରେ ସଂଘର୍ଷ କରିବା ପରେ ହଠାତ ଏହି ଅନାସ୍ଥା ପ୍ରସ୍ତାବ ପ୍ରସଂଗ ଆଣିଛନ୍ତି।ତେବେ ତାଙ୍କର ସଂଧ୍ୟା ନ ଥିଲେ ମଧ୍ୟ ସେ କାହିଁକି ଏପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଆଣିଲେ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।

ବିଧାନସଭାର ଆସନ ଗଣିତ ଅନୁସାରେ ବିଜେଡି ଓ କଂଗ୍ରେସ ମିଶିଲେ ମଧ୍ୟ ସରକାର ଭାଙ୍ଗି ପାରିବେ ନାହିଁ। ବର୍ତ୍ତମାନ ବିଜେପିର ବିଧାନସଭାରେ 78 ଜଣ ସଦସ୍ୟ ଅଛନ୍ତି। ସେହିପରି ବିଜେଡିର 51, କଂଗ୍ରେସର 14, ସିପିଆଇଏମର 1 ଏବଂ ସ୍ବାଧୀନ ଭାବେ 3 ଜଣ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ତିନି ସ୍ବାଧୀନ ସଦସ୍ୟ ବିଜେପିକୁ ସମର୍ଥନ କରୁଛନ୍ତି। ଫଳରେ ବିଜେପି ପାଖରେ ମୋଟ 81 ସଦସ୍ୟ ରହିଛନ୍ତି।

ଏପଟେ କଂଗ୍ରେସ ଓ ବିଜେଡି ଯଦି ଅନାସ୍ଥାକୁ ସମର୍ଥନ କରିନ୍ତି ତେବେ ଏମାନଙ୍କ ସଂଖ୍ୟା ମିଶି 65 ହେବ । ତେବେ ସରକାର ଭାଙ୍ଗିବା ପାଇଁ ହେଲେ 74 ଜଣ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ। ଏପରି କ୍ଷେତ୍ରରେ ବିଜେଡି ଓ କଂଗ୍ରେସକୁ ଆବଶ୍ୟକ ଆହୁରି 10 ଜଣ ସଦସ୍ୟ। ଯଦି ବିଧାନସଭାରେ ଅନାସ୍ଥା ଆଗତ ହୁଏ ତେବେ କଂଗ୍ରେସ ବିଜେଡି ସହିତ ଏହି 10 ସଦସ୍ୟଙ୍କ ସମର୍ଥନ କେଉଁଠାରୁ ଆଣିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

ଏହି ଗଣିତକୁ ଭକ୍ତ ଦାସ ଭଲଭାବେ ଜାଣିଥିଲେ ମଧ୍ୟ ଅନାସ୍ଥା ଆଣି ସେ ହୀନସ୍ଥା ହେବାକୁ କାହିଁକି ଚାହୁଁଛନ୍ତି ବୋଲି ସାଧାରଣରେ ଆଲୋଚନା ଚାଲିଛି। ସେ ଯେପରି ଅନାସ୍ଥା ଉପରେ ଦୃଢ ଅଛନ୍ତି ସେଥିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଭକ୍ତ କଣ ବିଜେପିର 10 ଜଣ ବିଧାୟକଙ୍କ ସହିତ କଥା ହୋଇଛନ୍ତି କି ? ଅନ୍ୟପଟେ ବିଜେପିରୁ 10 ବିଧାୟକ ନିୟମ ଅନୁସାରେ ଅଲଗା ହୋଇପାରିବେ ନାହିଁ। ଯଦି ଅଲଗା ହେବେ ତେବେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହୋଇଯିବ। କିନ୍ତୁ ଏକ ତୃତୀୟାଂଶ ହିସାବରେ ବିଜେପିରୁ 26 ଜଣ ବିଧାୟକ ବାହାରିଲେ ତେବେ ତାହା ଗ୍ରହଣୀୟ ହେବ।

ହେଲେ ବିଜେପିରୁ ଏତେ ସଂଖ୍ୟକ ବିଧାୟକ ବାହାର କରିବା ସହଜ ନୁହେଁ। ଏହା ସତ୍ବେ ସେ ଏତେ ଦମ୍ଭରେ ଅନାସ୍ଥା ଉପରେ ଜୋର ଦେଉଛନ୍ତି ଅର୍ଥ ସେ କିଛି ଗୋଟି ଚାଳନା କରିଛନ୍ତି କି କଣ ତାହା ଜାଣି ହେଉ ନାହିଁ। ଏହା ସତ ଯେ, ବିଜେପିର ଅନେକ ବିଧାୟକ ଅସନ୍ତୁଷ୍ଠ ଅଛନ୍ତି। ଅନେକଙ୍କୁ ମନ୍ତ୍ରୀ ପଦ ଦିଆଯାଇ ନାହିଁ ବୋଲି ରାଗରେ ଅଛନ୍ତି। ଯଦି ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ କିଛି ଟାଣୁଆ ବିଧାୟକ ବଳି ପଡିଗଲେ ତେବେ ଭକ୍ତ ସେମାନଙ୍କୁ ଅସ୍ତ୍ର କରିବା ପାଇଁ ଏପରି ବାଣ ମାରିଛନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ବର୍ତ୍ତମାନ ରାଜ୍ୟ ବିଜେପି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟରେ ଯୁଦ୍ଧ ଚାଲିଛି। ଧର୍ମେନ୍ଦ୍ରଙ୍କ ନିୟନ୍ତ୍ରଣରେ ବିଜେପିର ଏକ ବିଧାୟକ ଗୋଷ୍ଠୀ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ରାଜ୍ୟ ମନ୍ତ୍ରୀ ମଧ୍ୟ ଅଛନ୍ତି।  ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରିବା ପାଇଁ ଯୋଜନା କରୁଛନ୍ତି। ଯଦି ସେପରି ହୁଏ ତେବେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ବଡ ବିଦ୍ରୋହ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା ରହିଛି। ଆଉ ତାହାର ଫାଇଦା ନେବା ପାଇଁ ହୁଏତ ଭକ୍ତ ଦାସ ଛକି ବସିଛନ୍ତି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.