ଭୁବନେଶ୍ବର (ଆମ ଟିଭି): ପୁରୀର ସ୍ବାମୀ ନାରାୟଣ ମନ୍ଦିରରେ ଆୟୋଜିତ ହୋଇଥିବା ବିଜେପିର ପ୍ରଶିକ୍ଷଣ ଶିବିରରେ ବିଧାୟକ ଓ ସାଂସଦଙ୍କୁ ପାଠପଢା ଯାଇଛି। ସେମାନେ ସେଥିରୁ କଣ କିଏ ଶିଖିଲେ ତାହା ଭିନ୍ନ କଥା। ହେଲେ ଦୁଇଦିନ ଧରି ଚାଲିଥିବା ଏହି ଶିବରରେ ବାରମ୍ବାର କୁହାଗଲା ଯେ କେହି ଗର୍ବ କର ନାହିଁ। ତୁମେ ହାର କି ଜିତ ତାହା ଭିନ୍ନ କଥା। ହେଲେ ଦଳ ପାୱାରରେ ରହିବା ଆବଶ୍ୟକ।
ଅବଶ୍ୟ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକଙ୍କୁ ବିଧାୟକ ଓ ସାଂସଦଙ୍କ ପ୍ରଶ୍ନ ପଚାରିବାର ଅଧିକାର ନ ଥିଲା। ହେଲେ ସେତେବେଳେ ନେତାଙ୍କୁ ପ୍ରଶ୍ନ କରିବା କଥା ଯେ, ଆମ ଭିତରେ କେହି ଗର୍ବ କରୁଥିବାର ଅନୁଭବ କରୁଛନ୍ତି କି ? ଯେହେତୁ ତାହା ଦଳିୟ କାର୍ଯ୍ୟକ୍ରମ ଥିଲା ନିଜ ଭବିଷ୍ୟତକୁ ନଜରରେ ରଖି କେହି ପ୍ରଶ୍ନ କରିପାରି ନ ଥିଲେ।
ପ୍ରକୃତରେ ଯଦି କେହି ସାଂସଦ ବା ବିଧାୟକ ଗର୍ବ କରୁଛି ତେବେ ତାଙ୍କୁ ସିଧା କହିଦେବା ଉଚିତ। ଆପଣ ସାବଧାନ ରୁହନ୍ତୁ। ହେଲେ ସାଧାରଣ ବୈଠକରେ ସମସ୍ତଙ୍କୁ ଏପରି ଇଙ୍ଗିତ କରି କହିବା କାହିଁକି କେମିତି ସେଠାରେ ଉପସ୍ଥିତ ଅନେକ ନେତା ହଜମ କରିପାରି ନ ଥିଲେ। କାରଣ ସେମାନେ ନିଜେ ଅନୁଭବ କରୁଛନ୍ତି ଯେ, ତାଙ୍କ ପାଖରେ ଗର୍ବ ନାହିଁ, ଲୋକଙ୍କ ସହିତ ଅଛନ୍ତି।
ତେବେ ପ୍ରଶ୍ନ ଉଠିଲା ଯେ ତେବେ କେହି ଗର୍ବି ନେତା ଅଛନ୍ତି କି ? ଶିବିରରେ ଯୋଗ ଦେଇଥିବା ଜଣେ ନେତା ତାଙ୍କ ନାମ ଗୋପନ ରଖିବାକୁ ଅନୁରୋଧ କରି କହିଲେ ଯେ, ସେଠାରେ ଯେଉଁମାନେ ପ୍ରଶିକ୍ଷଣ ଦେଉଥିଲେ ସେମାନେ ଜାଣିଛନ୍ତି କିଏ ଗର୍ବି ନେତା। ହେଲେ ସେମାନେ ତାଙ୍କୁ ସିଧା କହିବାର ଶକ୍ତି ନାହିଁ। ସେଥିପାଇଁ ତାଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଗର୍ବ କର ନାହଁ ବୋଲି କୁହାଯାଇଥିଲା। ସେ ନେତା କିଏ ବୋଲି ପଚାରିବାରୁ ସେ ହସି ଦେଇ ଫୋନ କାଟିଦେଲେ।
ତେବେ ପ୍ରଥମ ଦିନରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ପାଠ ପଢାଇଥିଲେ। ଏଥିରେ ସେ କହିଥିଲେ ଯେ ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ, ଦଳର ଯୋଜନାଗୁଡ଼ିକ ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚାଅ, ଯୋଜନା ସମ୍ପର୍କରେ ଗ୍ରାଉଣ୍ଡକୁ ଯାଇ ତଦାରଖ କର, ସରକାର ସହ ସଂଗଠନକୁ ନେଇକି ଚାଲ, ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର।