ରାଜନୀତି ଛାଡ଼ିବେ ବେକି ଗଡକରୀ ?

0

ନୂଆଦିଲ୍ଲୀ :ପୁଣିଥରେ ରାଜନୀତିରୁ ଅବସର ନେବାର ସଙ୍କେତ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ସେ ନିକଟରେ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଛି ଯେ ଦଳର ହାଇକମାଣ୍ଡଙ୍କ ସହ ତାଙ୍କର ବିବାଦ ଚାଲିଛି ଓ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଦଳ ଟିକେଟ ମଧ୍ୟ ଦେଇ ନପାରେ। ତେଣୁ ସେ ରାଜନୀତିକୁ ଅଲବିଦା କହିବାକୁ ଚିନ୍ତା କରୁଥିବା କୁହାଯାଉଛି।

ରବିବାର ଗୋଟିଏ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଗଡକରୀ କହିଛନ୍ତି ଯେ ସେ ଦୁଇ ଥର ନିର୍ବାଚନ ଜିତିଥିଲେ ମଧ୍ୟ ସେ ଚାହାନ୍ତି ଯେ ଲୋକମାନଙ୍କୁ ପସନ୍ଦ ଆସିଲେ ହିଁ ସେମାନେ ତାଙ୍କୁ ଭୋଟ ଦିଅନ୍ତୁ। ସେ କହିଛନ୍ତି, “ଗୋଟିଏ ସୀମା ବାହାରେ ମୁଁ କେବେ ହେଲେ କାହାକୁ ଖୁସି କରିବା ପାଇଁ କିଛି କରିପାରିବି ନାହିଁ। ମୋ ସ୍ଥାନରେ ଯଦି ଆଉ କେହି ଆସିବେ, ତା’ହେଲେ କିଛି ଅସୁବିଧା ନାହିଁ। ଏପରି କି ମୁଁ ମଧ୍ୟ ମୋର କାମ ପାଇଁ ଅଧିକ ସମୟ ଦେବାକୁ ଚାହୁଁଛି।” ତୈଳ ବଦଳରେ ଅନ୍ୟ ବିକଳ୍ପ ବାହାର କରିବା ପକ୍ଷରେ ଥିବା ଗଡକରୀଙ୍କ ଏପରି ବୟାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଗଡକରୀ ଏ ବିଷୟରେ ବିସ୍ତୃତ ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ଗଣମାଧ୍ୟମ ଭୁଲ ଭାବେ ସବୁଥର ଭଳି ଏଥର ମଧ୍ୟ ଉପସ୍ଥାପନ କରିଛି। ଅଫିସ ପକ୍ଷରୁ କୁହାଯାଇଛି, “ସେ(ଗଡକରୀ) କେବଳ ଭୋଟ ପାଇଁ ପ୍ରିୟାପ୍ରୀତି ତୋଷଣ ରାଜନୀତି କରନ୍ତି ନାହିଁ ବୋଲି କହିଥିଲେ। ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।”

ଏହାପୂର୍ବରୁ ମଧ୍ୟ ଗଡକରୀ ରାଜନୀତିକୁ ଅଲବିଦା କହିବେ ବୋଲି ସର୍ବସମ୍ମୁଖରେ ମତ ରଖିଥିଲେ। ଜାନୁଆରୀ ମାସରେ ହଲବା ଆଦିବାସୀ ମହାସଂଘ ସଦସ୍ୟଙ୍କୁ ସମ୍ବୋଧନ କରିବା ବେଳେ ସେ ସମସ୍ତଙ୍କୁ କହିଥିଲେ ଯେ ସେମାନେ ଯାହାଙ୍କୁ ଚାହୁଁଛନ୍ତି ତାଙ୍କୁ ଭୋଟ ଦିଅନ୍ତୁ। କାରଣ ଭୋଟ ଦେବା ଜଣେ ବ୍ୟକ୍ତିଗତ ପସନ୍ଦ। ସେହିପରି ଗତବର୍ଷ ଜୁଲାଇରେ ମାସରେ ଗଡକରୀ କହିଥିଲେ ଯେ ବେଳେବେଳେ ସେ ଭାବୁଛନ୍ତି ରାଜନୀତି ଛାଡ଼ିଦେବେ। ସମାଜ ପାଇଁ ଆହୁରି ଅନେକ କାମ କରିବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ।

Leave A Reply

Your email address will not be published.