କୋଲକାତା(ଆମ ଟିଭି): କେନ୍ଦ୍ରର ବିଜେପି ଓ ମମତାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଏହାରିଭିତରେ ମଧ୍ୟାହ୍ନ ଭୋଜନ ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏକ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିବା ପରେ ପାଞ୍ଚଟି କେନ୍ଦ୍ରୀୟ ଦଳ କିଛି ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି ଯେ ରାଜ୍ୟରେ ଥିବା ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିଗୁଡିକ ଦ୍ୱାରା ଯେଉଁଭଳି ପଦକ୍ଷେପ ନିଆଯାଇଛି ତାହା ବିରୋଧରେ ସେ ପ୍ରତିଶୋଧ ନେବେ ନାହିଁ। ତେବେ ପରିସ୍ଥିତିରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆଣିବେ ବୋଲି ମମତା କହିଛନ୍ତି। ଗତ ସପ୍ତାହରେ ଆୟକର ବିଭାଗ ଚଢ଼ଉବେଳେ ତୃଣମୂଳ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜାକିର ହୋସେନଙ୍କ ଘର ଓ କାର୍ଯ୍ୟାଳୟରୁ ୧୬ କୋଟି ଟଙ୍କା ଜବତ ହୋଇଥିଲା। ତାଙ୍କୁ ସମର୍ଥନ କରି ମମତା କହିଛନ୍ତି, ଜାକିର ଜଣେ ବିଡି ଶିଳ୍ପପତି। ଯଦି ସେ କିଛି ଭୁଲ କରିଛନ୍ତି, ତେବେ ଆପଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କିନ୍ତୁ ସେ ଜଣେ ଟିଏମ୍ସି ନେତା ହୋଇଥିବାରୁ ତାଙ୍କୁ ହଇରାଣ କରାଯାଉଛି।