ନୂଆଦିଲ୍ଲୀ (ଆମ ଟିଭି): ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ କେବଳ ତାଙ୍କୁ ଅଧ୍ୟକ୍ଷ ପଦରୁ ନୁହେଁ ଉପ ରାଷ୍ଟ୍ରପତି ପଦରୁ ମଧ୍ୟ ହଟାଇବାକୁ ବଡ଼ ପ୍ଲାନ କରୁଛନ୍ତି।
ତେବେ ଏହି ନୋଟିସ୍ରେ ରାଜ୍ୟ ସଭାର ସବୁ ବିରୋଧୀ ଦଳ ପ୍ରାୟ ୭୦ଜଣ ଏମପିଙ୍କ ଦସ୍ତଖତ ରହିଛି। ଯେଉଁଥିରେ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛି। କିନ୍ତୁ ବିରୋଧୀଙ୍କ ଏହି ରଣନୀତି ଫେଲ୍ ମାରିପାରେ ବୋଲି କୁହାଯାଉଛି। କାରଣ ରାଜ୍ୟ ସଭାରେ କେବଳ ଏନଡିଏର ୧୧୫ରୁ ଅଧିକ ଏମପି ଅଛନ୍ତି। ଏଭଳି ପରିସ୍ଥିତିରେ ବିରୋଧୀ କେତେ ସଫଳ ହେବେ ତାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ଆକଳନ କରୁଛନ୍ତି।
ଯଦି ସମ୍ବିଧାନର ଧାରା ୬୭(ବି) କୁ ଆଲୋଚନା କରାଯାଏ ତେବେ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ୧୪ ଦିନର ନୋଟିସ୍ ଦେବାକୁ ପଡିଥାଏ। ଏଥିସହ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଥିବା ନିହାତି ଆବଶ୍ୟକ। କିନ୍ତୁ ସଂଖ୍ୟା ଗଣିତକୁ ଦେଖିଲେ ବିରୋଧୀଙ୍କ ପକ୍ଷରେ ଏହା ଅସମ୍ଭବ ବୋଲି ମନେ ହେଉଛି। ତଥାପି କଂଗ୍ରେସ ଏବଂ ଅନ୍ୟ ସହଯୋଗୀ ଦଳ ବିଶ୍ୱାସ କରୁଛନ୍ତି ଯେ, ଏପରି କରିବା ଦ୍ୱାରା ଇଣ୍ଡିଆ ମେଣ୍ଟ ମଜବୁତ ହେବ କିନ୍ତୁ ବର୍ତ୍ତମାନ ସ୍ଥିତିରେ ଦୁଇଟି ଗୃହରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ କିଛି ବଡ଼ ଗେମ୍ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ବିଜେଡି ପାଖରେ ଏବେ ରାଜ୍ୟ ସଭାରେ ୭ଜଣ ସଦସ୍ୟ ଅଛନ୍ତି।
ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏହି ପଦରୁ ହଟାଇବା ପାଇଁ ଅତି କମ୍ରେ ୫୦ଜଣ ସଦସ୍ୟଙ୍କ ଦସ୍ତଖତ ହେବା ଆବଶ୍ୟକ। କିନ୍ତୁ ଏହି ପ୍ରସ୍ତାବରେ ବର୍ତ୍ତମାନ ୭୦ଜଣ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସଭାରେ ଉପସ୍ଥାପନ ହୋଇଛି। ଏଠାରେ ପାରିତ ହେବା ପରେ ଏହା ଲୋକ ସଭାରେ ଉପସ୍ଥାପନ ହେବ। ଚଳିତ ବର୍ଷ ଅଗଷ୍ଟରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଧନକରଙ୍କୁ ପଦରୁ ହଟାଇବା ଏହି ନିଷ୍ପତ୍ତି ନେଇଥିଲେ।
ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଇଣ୍ଡିଆ ମେଣ୍ଟର ସମ୍ଭାବ୍ୟ ପଦକ୍ଷେପ ଉପରେ ତାଙ୍କ ଦଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ତେବେ ନବୀନ ଏଯାଏଁ ସ୍ପଷ୍ଟ କରିନାହାଁନ୍ତି ଯେ ଯଦି ସେ ଏହାକୁ ସମର୍ଥନ କରିବେ କି ନାହିଁ। ରାଜ୍ୟ ସଭାରେ ବିଜେଡିର ୭ଜଣ ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। କାରଣ ରାଜ୍ୟ ସଭାରେ ବିରୋଧୀ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।