ପୁରୀ (ଆମ ଟିଭି): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ମହାପ୍ରଭୁଙ୍କ ବଡ଼ଦାଣ୍ଡର ଓସାର ବୃଦ୍ଧି ହୋଇପାରେ ବୋଲି ଖବର ଆସୁଛି। ଏନେଇ ଯୋଜନା ଜାରି ରହିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମହାପ୍ରଭୁଙ୍କ ଶ୍ରୀମନ୍ଦିର କରିଡରକୁ ସଂଯୋଗ କରୁଥିବା ରାସ୍ତାର ସୌନ୍ଦର୍ୟ୍ୟକରଣ କରାଯିବ । ପ୍ରଥମ ଦଫାରେ ବାଲିସାହି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ବଡ଼ଦାଣ୍ଡର ପ୍ରଶସ୍ତୀକରଣ କାର୍ୟ୍ୟ ଆରମ୍ଭ ହେବ । ଏଥିସହିତ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ମଧ୍ୟ ହାତକୁ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଏକ ସୂଚନା ମିଳିଛି ।
ତେବେ ଏହି ପ୍ରଶସ୍ତିକରଣ କାର୍ୟ୍ୟ ପାଇଁ ପାଖାପାଖି ୨୫୦ କୋଟିର ବ୍ୟୟ ଅଟକଳ କରାଯାଇଥିବା ବେଳେ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଭିତରେ ପାଖାପାଖି ୨.୮ କିମି ରାସ୍ତା ଏହି ଯୋଜନାରେ ସାମିଲ ହେବ । ପ୍ରକଳ୍ପ ଡିଜାଇନ ମୁତାବକ, ବଡ଼ଦାଣ୍ଡର ଉଭୟ ପାଖର ୨୦ ଫୁଟ ଲେଖାଏଁ ରାସ୍ତା ଖାଲି କରାଯିବ । ବର୍ତ୍ତମାନ ଉଭୟ ପାଖରେ ୮ ଫୁଟ ସ୍ଥାନ ଖାଲି ଥିବା ସର୍ଭେରୁ ଜଣାପଡ଼ିଛି । ଏହା କିପରି ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ ।