ନୂଆଦିଳ୍ଲୀ (ଆମ ଟିଭି): ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ଭିତରେ ନୀତୀଶଙ୍କୁ ବଡ଼ ଅଫର ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟକୁ ଫେରିବାକୁ ପ୍ରସ୍ତାବ ଦେଇଛନ୍ତି । ଲାଲୁଙ୍କ ଏହି ଅଫରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା । ସେ ଚାହିଁଲେ ଆସିପାରିବେ । ଲାଲୁ ଯାଦବ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଆମକୁ ଛାଡି ପଳାଇଥିଲେ ମଧ୍ୟ ଆମେ ତାଙ୍କୁ କ୍ଷମା କରିଛୁ ।
ତେବେ ଲାଲୁଙ୍କ ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି ନୀତୀଶ କୁମାର । ତେବେ ପୂର୍ବରୁ ଦଳ ବଦଳାଇବା ନେଇ ନୀତିଶଙ୍କ ନାଁରେ ରେକର୍ଡ ରହିଛି । ବର୍ଷ ଆରମ୍ଭରୁ ହିଁ ନୀତୀଶ ଦଳ ବଦଳାଇ ଦିଅନ୍ତି । ବାରମ୍ୱାର ଏମିତି କରିବାର ନଜିର ମଧ୍ୟ ରହିଛି । ତେଣୁ ଲାଲୁ ଯାଦବଙ୍କ ଅଫର ନୀତିଶ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ସେପଟେ କିଛିଦିନ ହେବ ନୀତିଶ ଗଣମାଧ୍ୟମରୁ ନିଜକୁ ଦୂରେଇ ରଖୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଧନରେ ଶେଷ ଦର୍ଶନ ଲାଗି ପହଞ୍ଚିଥିଲେ ନୀତିଶ । ଏହି ସମୟରେ ମନମୋହନଙ୍କ ପରିବାର ସହ ଅନେକ କଂଗ୍ରେସ ନେତାଙ୍କୁ ଭେଟିଥିଲେ । କିନ୍ତୁ ଏନଡିଏର ନେତାଙ୍କ ସହ ସେମିତି ନଜରକୁ ଆସିନଥିଲେ । ପୂର୍ବରୁ ଦିଲ୍ଲୀରେ ଅମିତ ଶାହ ଡାକିଥିବା ବୈଠକରେ ମଧ୍ୟ ସାମିଲ ହୋଇନଥିଲେ ନୀତିଶ । ଯେହେତୁ କେନ୍ଦ୍ର ସରକାରରେ ନୀତିଶଙ୍କ ସମର୍ଥନ ରହିଛି ତେଣୁ ନୀତିଶ ନଯିବା ରାଜନୀତିକୁ ଆହୁରି ସରଗରମ କରିଛି ।
ନୀତିଶ ଅସନ୍ତୋଷ ହେବାର ଅନ୍ୟ ଏକ କାରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜେଡିୟୁ ଲଢିବାକୁ ଇଚ୍ଛା ରଖିଥିଲେ ବି ଏନଡିଏ ସିଟ୍ ଭାଗବଂଟାକୁ ସଫାସଫା ମନା କରିଦେଇଛି । ଏବେ ପ୍ରଶ୍ନ ଉଠୁଛି ପୁଣି ପଲଟି ମାରିବେ କି ପଲଟୁରାମ୍? ଏନଡିଏ ଛାଡି ଇଣ୍ଡି ମେଣ୍ଟକୁ ଯିବେ କି ନୀତିଶ? ଆରଜେଡି ସହ ମିଶାଇବେ କି ହାତ?