ଫେରି ପାଇବେ ରାହୁଲ ସରକାରୀ ବାସଭବନ ?
ନୂଆଦିଲ୍ଲୀ: ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଲୋକସଭାରେ ଆଲୋଚନା ଆରମ୍ଭ ହେବ। ଆଜି ମଧ୍ୟାହ୍ନ ୧୨ଟାରୁ ସଂଧ୍ୟା ୭ଟା ଯାଏ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂଚନା ରହିଛି। ଏହି ଆଲୋଚନାରେ କଂଗ୍ରେସ ପକ୍ଷରୁ ନେତୃତ୍ବ ନେବେ ରାହୁଲ ଗାନ୍ଧୀ। ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ତାଙ୍କର ମତ ରଖିବେ।
ତେବେ ପୁଣି ଥରେ ସାଂସଦ ପଦ ଫେରି ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ତାଙ୍କ ‘ତୁଗଲାକ୍ ଲେନ୍’ ଘରକୁ ଫେରିପାଇବାକୁ ଆବେଦନ କରିବେ। ରାହୁଲଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ କେହି ରହିନାହାନ୍ତି।
ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ପୁଣି ଥରେ ଆବେଦନ କରିବା ପରେ ତାଙ୍କୁ ତାଙ୍କ ଘର ଫେରସ୍ତ ମିଳିବ। ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇ ରାହୁଲ ଜେଲ୍ ଯିବା ପରେ ମାର୍ଚ ୨୪ ତାରିଖରେ ତାଙ୍କ ଘର ଛାଡ଼ିଥିଲେ। ସେବେଠାରୁ ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ରୋଡ୍ ବାସଭବନରେ ରହୁଥିଲେ।