ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବା ଖବର ପୁଣି ଚର୍ଚ୍ଚାକୁ ଆସିଛି । ଏହି ଚର୍ଚ୍ଚା ଭିତରେ ଆଉ ଏକ ଖୋରାକ ଯୋଗାଇଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଆଲେଖ୍ୟ । କେବଳ ଓଡିଶା ନୁହଁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସଜବାଜ ହେଉଛନ୍ତି । ଦେଶର ମୁଡ କଣ ଅଛି ଏବଂ କେନ୍ଦ୍ର ସରକାରଙ୍କୁ ନେଇ ଲୋକଙ୍କ ଆଭିମୁଖ୍ୟ କଣ ଅଛି । ଏହା ଜାଣିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଦେଶର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ସମ୍ପାଦକଙ୍କ ସହ ପ୍ରଧାନମନ୍ତ୍ରୀ ଏକ ଅଘୋଷିତ ବୈଠକ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ରହିଛି । ଏହାରି ଭିତରେ ଏକ ଆଲେଖ୍ୟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ବର୍ଷ ଶେଷରେ ହିନ୍ଦୀ ହାର୍ଟଲ୍ୟାଣ୍ଡ ସହ ଓଡିଶାରେ ହୋଇପାରେ ବିଧାନସଭା ନିର୍ବାଚନ ।
ଡିସେମ୍ବରରେ ଦେଶରେ ୫ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ଓଡିଶାରେ ଆଗୁଆ ନିର୍ବାଚନ ନେଇ ଆକଳନ କରାଯାଉଛି । ‘ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ’ର ସମ୍ପାଦକ ସାହିଦ ଫରିଦି ତାଙ୍କ ଆଲେଖ୍ୟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ବିରୋଧୀଙ୍କୁ ଅଧିକ ଫାଇଦା ମିଳିପାରେ । ୨୦୧୯ ସାଧାରଣ ନିର୍ବାଚନ ବେଳେ ବିରୋଧୀ ବିଜେପିର ଲୋକସଭା ସଦସ୍ୟ ସଂଖ୍ୟା ବଢିବାକୁ ଆଧାର କରି ଏବେ ନବୀନ ତାଙ୍କ ରଣନୀତିରେ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି । ଆଉ ୫ଟି ରାଜ୍ୟ ସହିତ ଓଡିଶାରେ ଆଗୁଆ ନିର୍ବାଚନ କରାଇପାରନ୍ତି ନବୀନ ।