ଭୁବନେଶ୍ୱର (ଆମ ଟିଭି): କାଲିଠୁ ରାଜ୍ୟରେ ଶୀତର ପରିମାଣ ବଢିବ ବୋଲି ସୂଚନା ମିଳିଛି । ରାଜ୍ୟରେ କୋହଲା ପାଗ ଲାଗି ରହିଛି। ତେବେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
ପାଣିପାଗର କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ। ଏବେ ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହେଉଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ଏଣିକି ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।