ରାଜ୍ୟରେ ବଢୁଛି ଶୀତ
ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଶୀତ ବଢ଼ିଛି। ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରି ଯାଏ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିଯିବ। ଉତ୍ତରା ପବନ ଧୀରେଧୀରେ ସକ୍ରିୟ ହେଉଥିବାରୁ ରାଜ୍ୟକୁ ଥଣ୍ଡା ଓ ଶୁଷ୍କବାୟୁ ଅଧିକ ପ୍ରବାହିତ ହେବ। ଏହାସହ ରାଜ୍ୟର କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖାଯିବ। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକ ଆଦି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ କଥା କହିଛନ୍ତି। ତାଙ୍କ ଆକଳନ କହୁଛି, ଆସନ୍ତା ୮ତାରିଖରୁ ରାଜ୍ୟରେ ଶୀତ କମିବ। ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବାର ସମ୍ଭାବନା ନାହିଁ। ଦିନର ତାପମାତ୍ରା ମଧ୍ୟ ବଢ଼ିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ସହିତ କୁହୁଡ଼ି ହେବ। ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୧ରୁ ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରରେ ୮ରୁ କ୍ରମଶଃ ବୃଦ୍ଧି ହୋଇ ୧୨ତାରିଖ ସୁଦ୍ଧା ତାପମାତ୍ରା ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଉପକୂଳରେ ୯ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବ। ୧୩ ସୁଦ୍ଧା ପାରଦ ୩ରୁ ୪ଡିଗ୍ରି ବଢ଼ିପାରେ। କିନ୍ତୁ ଉତ୍ତର ଆଭ୍ୟନ୍ତରରେ ୯ ତାରିଖ ପରେ ତାପମାତ୍ରା ବଢ଼ିବାର ସମ୍ଭାବନା ପ୍ରାୟ ନାହିଁ। ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ରାଜ୍ୟର ଅନେକ ଜିଲ୍ଲାରେ ୮ ତାରିଖରୁ କୁହୁଡ଼ି ପଡ଼ିବ।